ପୁଅ ନୁହେଁ କୁଳାଙ୍ଗାର । ସଂସାରରେ ଏମିତି ପୁଅ ଅଛନ୍ତି, ବାପାଙ୍କୁ ରାସ୍ତାକଡ଼କୁ ଠେଲି ଦେଇ ପଳାଉଛନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ୟୁପିର ଆଗ୍ରା ଅଂଚଳରେ ଦେଖିବାକୁ ମିଳିଛି । ବାପାଙ୍କୁ ଗାଡ଼ି ଭିତରେ ବନ୍ଦ କରି ପୁଅ ତା’ ବାଟରେ ପଳାଇଛି ।
ଆଗ୍ରା ତାଜ ମହଲ ନିକଟରେ ଠିଆ ହୋଇଥିବା ଏକ କାର ଭିତରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖିଥିଲେ କିଛି ପଥଚାରୀ । କାରଟିର ସବୁ ଦରଜା ଲକ୍ ଅବସ୍ଥାରେ ଥିଲା । ବୟୋବୃଦ୍ଧଙ୍କ ହାତଗୋଡ଼କୁ ଗୋଟିଏ କପଡ଼ା ସାହାଯ୍ୟରେ ବାନ୍ଧି ଦିଆ ଯାଇଥିଲା । କାରଟିକୁ ତାଜ ମହଲର ପଶ୍ଚିମ ଫାଟକର ଅନତି ଦୂରରେ ଠିଆ କରିଦେଇ ପରିବାର ଲୋକମାନେ ପଳାଇଛନ୍ତି ।
ତାଜମହଲ ଜଗୁଆଳି ଫାଟକ ନିକଟରେ ଗାଡ଼ିଟିକୁ ଦୀର୍ଘ ସମୟ ଧରି ରଖାଯାଇଥିବାର ଦେଖି ଗାଡ଼ି ନିକଟକୁ ଯାଇଥିଲେ । ଗାଡ଼ି ଭିତରେ ଅସହାୟ ବୟସ୍କ ବ୍ୟକ୍ତିଙ୍କୁ ଠାବ କରିଥିଲେ । କାଳବିଳମ୍ବ ନକରି ଜଗୁଆଳି ଜଣକ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସମସ୍ତେ ମିଶି କାର କାଚ ଭାଙ୍ଗି ବୟୋବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା ।
ପ୍ରାଥମିକ ତଦନ୍ତ କରି ପୁଲିସ ବୟସ୍କ ବ୍ୟକ୍ତିଙ୍କ ପରିଚୟ ହାସଲ କରିଛି । ବୟସ୍କ ବ୍ୟକ୍ତିଙ୍କ ନାମ ହରିଓମ୍ ତଣ୍ଡାଲେ । ସେ ହେଉଛନ୍ତି ମୁମ୍ବାଇ ନିବାସୀ ସିଦ୍ଧେଶ୍ୱର ତଣ୍ଡାଲେଙ୍କ ବାପା । ହରିଓମଙ୍କୁ ଗୁରୁତର ହାଲତରେ ଛାଡ଼ି ଦେଇ ପୁଅ ସିଦ୍ଧେଶ୍ୱର ମୁମ୍ବାଇ ଫେରି ଯାଇଥିଲେ ।