ମଣିଷଖିଆ ବାଘକୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ

ତିନି ତିନୋଟି ମଣିଷକୁ ଖାଇବା ପରେ ୟୁପି ସରକାର କାଳବିଳମ୍ବ ନକରି ମହାବଳ ବାଘଟିକୁ ଗୁଳି କରି ମାରିଦେବା ପାଇଁ ବନ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମହାବଳ ବାଘୁଣୀ ଭୟରେ ଲୋକମାନେ ଘରୁ ପଦାକୁ ଗୋଡ଼ କାଢ଼ି ପାରୁନାହାନ୍ତି । ୟୁପିର ପିଲିଭିତ ଜିଲ୍ଲାର ପ୍ରାୟ ୧୫ଟି ଗ୍ରାମରେ ରହିଥିବା ସରକାରୀ ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି ସରକାର ।

ଶନିବାର ଦିନ ବାଘୁଣୀଟିକୁ କୌଣସି ମତେ ଧରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ସେହିଦିନ ବାଘୁଣୀଟି ଜଣେ ମହିଳାଙ୍କୁ ମାରି ଦେଇଥିବାର ସୂଚନା ପାଇବା ପରେ ସରକାର ତାଙ୍କ ନିର୍ଦ୍ଦେଶନାମା ବଦଳାଇ ଦେଇଛନ୍ତି । ବାଘୁଣୀଟି ବେଶ ସତର୍କତାର ସହିତ ଚଲାବୁଲା କରୁଛି । ଗହଳିଆ ଧାନକ୍ଷେତ ଓ ଆଖୁକ୍ଷେତ ଭିତର ଦେଇ ଚଳପ୍ରଚଳ କରୁଛି । ସମୟ ପାଇଲେ ଲୋକଙ୍କୁ ଆକ୍ରମଣ କରୁଛି । ବାଘୁଣୀ ପାଟିରେ ମଣିଷ ରକ୍ତ ଲାଗି ଯାଇଥିବାରୁ ସେ ଆହୁରି ଭୟଙ୍କର ହୋଇଯାଇଛି ବୋଲି ବନ ଅଧିକାରୀ କହିଛନ୍ତି ।