୨୦୦୬ ଟ୍ରେନ ବିସ୍ଫୋରଣ ମାମଲା: ସବୁ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ କୋର୍ଟ

୨୦୦୬ ଟ୍ରେନ ବିସ୍ଫୋରଣ ମାମଲାର ବିଚାର କରି କୋର୍ଟ ସବୁ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି । କୋର୍ଟଙ୍କ ରାୟ ବିରୋଧରେ ଲୋକମାନେ ନାନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଧିକାଂଶ ଲୋକ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି କରିବାର ନାହିଁ କହିଛନ୍ତି ।

୨୦୦୬ ଜୁଲାଇ ୭ ତାରିଖ ଟ୍ରେନ ବିସ୍ଫୋରଣରେ ପରିଜନଙ୍କୁ ହରାଇଥିବା କିଛି ପରିବାର କହନ୍ତି, ସେଦିନର ଲୋମଟାଙ୍କୁରା ଦୃଶ୍ୟ ମନେ ପକାଇ ଆଜି ମଧ୍ୟ ଥରି ଯାଉଛନ୍ତି । ପୁଲିସ ପ୍ରାଥମିକ ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଦୀର୍ଘ ୧୯ ବର୍ଷ ଧରି ବିଚାର ପ୍ରକ୍ରିୟା ଚାଲିଥିଲା । ଅବଶେଷରେ କୋର୍ଟ କୌଣସି ଅଭିଯୁକ୍ତଙ୍କ ନିକଟରେ ସାମାନ୍ୟ ଦୋଷ ଦେଖି ପାରିଲେନି ।

ପୀଡ଼ିତ ପରିବାର ନା ପୁଲିସକୁ ନା ପ୍ରଶାସନକୁ ନା କୋର୍ଟଙ୍କୁ ଦାୟୀ କରିଛନ୍ତି । ୨୦୦୬ ଜୁଲାଇ ୧୧ ତାରିଖ ଦିନ ମୁମ୍ବାଇରେ ଘଟି ଯାଇଥିବା ଟ୍ରେନ ବିସ୍ଫୋରଣରେ ପ୍ରାୟ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ୭୦୦ରୁ ଅଧିକ ଲୋକ ଖଣ୍ଡିଆ ଖାବରା ହୋଇଥିଲେ । ବିସ୍ଫୋରଣରେ ସଂପର୍କୀୟଙ୍କୁ ହରାଇଥିବା କିଛି ପରିବାର କୋର୍ଟଙ୍କ ରାୟ ପ୍ରତି ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ପରିବାର ସାନି ତଦନ୍ତ ଦାବି କରିଛନ୍ତି । କିଛି ପରିବାର କାହାକୁ ଦାୟୀ ନକରି ଭାଗ୍ୟକୁ ଦାୟୀ କରିଛନ୍ତି ।

ପ୍ରୀତି ସାୱନ୍ତ ନାମ୍ନୀ ଜଣେ ମହିଳା ଓଠକୁ ଏକ ପ୍ରକାର ସିଲ୍ କରି ଦେଇଛନ୍ତି । ଦାରୁଣ ଦୁଃଖରେ ସନ୍ତାପିତ ପ୍ରୀତିଙ୍କ ଓଠରୁ ଭାଷା ବାହାରୁନି । କାହାକୁ ଦୋଷ ଦେବେ? ଦୋଷ ଦେଇ କି ଲାଭ ପାଇବେ? ସେ ତ ସବୁ କିଛି ହରାଇ ସାରିଛନ୍ତି । କାହାଠାରୁ ଆଉ କିଛି ପାଇବାର ଆଶା ରଖିନାହାନ୍ତି ପ୍ରୀତି । ତଥାପି ଛାତିର କୋହକୁ ଚାପି ପାରିଲେନି ପ୍ରୀତି ।

କହୁ କହୁ କହି ପକାଇଲେ, ୨୦୦୬ ଧାରାବାହିକ ଟ୍ରେନ ବିସ୍ଫୋରଣର ଶିକାର ହୋଇ ତାଙ୍କ ସ୍ୱାମୀ ପରାଗ ବେଶ କିଛି ମାସ ଧରି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଲେ । ତା’ପରେ କୋମାକୁ ଚାଲିଗଲେ । ୨୦୧୫ ମସିହାରେ ପରାଗ ସବୁଦିନ ପାଇଁ ଆଖି ବୁଜିଲେ । ପ୍ରୀତି ଏବେ ପଶ୍ଚିମାଂଚଳ ରେଳବାଇ ବିଭାଗରେ କାମ କରୁଛନ୍ତି । ପରାଗ କୋମାକୁ ଚାଲିଯିବା ପୂର୍ବରୁ ପ୍ରୀତି ଗର୍ଭବତୀ ଥିଲେ । ତାଙ୍କର ଏବେ ଝିଅଟିଏ ଅଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଗୋଟିଏ ଦୁଃଖରୁ ଆପଣମାନେ ସବୁକିଛି ଠଉରାଇ ପାରୁଥିବେ ।