ଭାରତୀୟ ରାନ୍ଧଣା ଏତେ ଖରାପ ! ଶରୀର ପ୍ରତି କ୍ଷତିକାରକ । ଭାରତର ପ୍ରାୟ ସବୁ ରାଜ୍ୟରେ ପ୍ରସ୍ତୁତ ଖାଦ୍ୟଗୁଡ଼ିକ ଅତ୍ୟନ୍ତ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟପ୍ରଦ । ଭାରତୀୟଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ କିସମ ମସଲା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିଥାଏ । ଭାରତୀୟଙ୍କ ହାତରନ୍ଧା ପ୍ରତି ଜଣେ ଅଷ୍ଟ୍ରେଲିୟ ମହିଳା ରୁଚିହୀନ ମନ୍ତବ୍ୟ ପ୍ରଦାନ କରି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଭାରତୀୟମାନେ ବ୍ୟବହାର କରୁଥିବା ମସଲାଗୁଡ଼ିକ ଅତ୍ୟନ୍ତ ନିମ୍ନମାନର । ସଂପୃକ୍ତ ମହିଳାଙ୍କ ମନ୍ତବ୍ୟକୁ ପ୍ରତିବାଦ କରିଛନ୍ତି ଅଧିକାଂଶ ଭାରତୀୟ ।
ଏମିତି ବାଦ ପ୍ରତିବାଦ ମଇଦାନକୁ ଯିବା ପୂର୍ବରୁ ଆମକୁ ସଂପୃକ୍ତ ଅଷ୍ଟ୍ରେଲିୟ ମହିଳାଙ୍କ ମାନସିକତାକୁ ଅଧ୍ୟୟନ କରିବାକୁ ପଡ଼ିବ । ଭାରତର ପ୍ରଧାନମନ୍ତ୍ରୀ ମହୋଦୟ ଯଦି ତାଙ୍କ ପ୍ରାତଃ ଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ କିଛି ନା କିଛି ବିଦେଶୀ ରାନ୍ଧଣାକୁ ପ୍ରାଥମିକତା ଦିଅନ୍ତି, ସେ କଥାଟି ଜାଣିବା ପରେ ଜଣେ ବିଦେଶୀ ମହିଳାଙ୍କ ମନରେ କି ଭାବାନ୍ତର ସୃଷ୍ଟି କରିବ? ଆମ ରାନ୍ଧଣା ଖରାପ ଓ ଅସ୍ୱାସ୍ଥ୍ୟକର ହୋଇଥିବାରୁ ସିନା ଆମ ପ୍ରଧାନମନ୍ତ୍ରୀ ବିଦେଶୀ ବ୍ୟଞ୍ଜନ ସେବନ କରୁଛନ୍ତି ।
ଏମିତି ବି ହୋଇ ଥାଇପାରେ । ଅଷ୍ଟ୍ରେଲିୟ ମହିଳା ଜଣକ ଭାରତକୁ ବୁଲି ଆସିଥିବା ସମୟରେ ଯୋଉ ହୋଟେଲ ଅବା ରେଷ୍ଟୁରାଂଟରେ ଭାରତୀୟ ରାନ୍ଧଣା ଚାଖିଥିବେ, ସେହି ରାନ୍ଧଣାଗୁଡ଼ିକ ତାଲିମପ୍ରାପ୍ତ ରାନ୍ଧୁଣିଆଙ୍କ ହାତ ତିଆରି ହୋଇ ନଥିବ ।
ସର୍ବୋପରି ଭାବେ ଆମେ ନିଆଁପାଣି କଥା କହି ରାନ୍ଧଣା ପ୍ରତି ଅରୁଚିକର ମନ୍ତବ୍ୟକୁ ଲଘୁ କରି ଦେଇପାରିବା । ନା କ’ଣ?
ମାମଲାଟି ଏଇଆ, ଜେଫ୍ ନାମକ ଜଣେ ମହିଳା ସୋସିଆଲ ମିଡିଆ ‘ଏକ୍ସ’ରେ କିଛି ଭାରତୀୟ ବ୍ୟଞ୍ଜନ ଫଟୋ ପ୍ରସାରଣ କରି ତଳେ ଲେଖିଦେଲେ, ଭାରତୀୟ ରାନ୍ଧଣାଗୁଡ଼ିକ ଭାରି ସୁଆଦିଆ, କେହି ମନା କରିବେ? ଜେଫ୍ଙ୍କ ମତାମତକୁ ପ୍ରାୟ ୨୪.୭ ନିୟୁତ ଲୋକ ତାରିଫ କଲେ । କିନ୍ତୁ ଡକ୍ଟର ସିଡ୍ନୀ ୱାଟ୍ସନ୍ ନାମ୍ନୀ ଜଣେ ଅଷ୍ଟ୍ରେଲିୟ ମହିଳା ‘ସତରେ? ସତ ସେଇଆ ନୁହେଁ’ । ରାନ୍ଧଣା ଖରାପ କରିବାକୁ ଚାହଁ ତ ଭାରତୀୟଙ୍କ ବ୍ୟବହୃତ ମସଲା ବ୍ୟବହାର କରି ଦେଖନ୍ତୁ । ୱାଟ୍ସନଙ୍କ ମନ୍ତବ୍ୟକୁ ପ୍ରାୟ ୮ ନିୟୁତ ଲୋକ ପସନ୍ଦ କରିଛନ୍ତି ।