ଜରୁରୀ ନୁହେଁ ନିୟମିତ ୧୦ ହଜାର ପାହୁଣ୍ଡ ଚାଲିବା

ନିୟମିତ ସକାଳେ ଅବା ସନ୍ଧ୍ୟାରେ, ୧୦ ହଜାର ପାହୁଣ୍ଡ ଚାଲିବା ଜରୁରୀ ନୁହେଁ । ବୟସ ଅନୁପାତରେ ଲୋକମାନଙ୍କୁ ଦରକାର ମୁତାବକ ଶାରୀରିକ ପରିଶ୍ରମ କରିବା ଦରକାର । ଜଣେ ଲୋକ ମାଟି ହାଣିବା ସମୟରେ ଯେତିକି ପରିଶ୍ରମ କରୁଛନ୍ତି, ତାଙ୍କ ପକ୍ଷେ ଅତିରିକ୍ତ ପରିଶ୍ରମ ଦରକାର ନାହିଁ ।

୫ରୁ ୧୭ ବର୍ଷ ବୟସର ପିଲାମାନେ ଦିନକୁ ଅତି କମ୍‌ରେ ୬୦ ମିନିଟ୍ ଶାରୀରିକ ପରିଶ୍ରମ କରିବା ଉପଯୋଗୀ । ବିଦ୍ୟାଳୟକୁ ଚାଲି ଚାଲି ଯିବା, ଶାରୀରିକ କ୍ରୀଡ଼ା କୌଶଳ ପ୍ରଦର୍ଶନ, ତଳ ମହଲାରୁ ଉପର ମହଲାକୁ ଚଢ଼ିବା ଓ ଓହ୍ଲାଇବା, ଖୋଲା ପଡ଼ିଆରେ ଦୌଡ଼ିବା ଭିତରୁ ଯେ କୌଣସି ଗୋଟିଏ ଯଥେଷ୍ଟ ।

୧୮ରୁ ୬୪ ବର୍ଷ ବୟସର ଲୋକମାନେ ନିୟମିତ ଅନ୍ୟୁନ ୭୦୦୦ ପାହୁଣ୍ଡ ଚାଲିବା ଉଚିତ । ଏପରି କରିବା ଫଳରେ ହୃତପିଣ୍ଡ ସମେତ ଆଭ୍ୟନ୍ତରୀଣ ଜରୁରୀ ଅଙ୍ଗଗୁଡ଼ିକ ଫିଟ୍ ରହେ । ନିୟମିତ ଘଂଟାଏ ଚାଲିବାର ସୁଯୋଗ ନପାଇଲେ, ଅତି କମ୍‌ରେ ୧୦ ମିନିଟ୍ ଚାଲିଲେ ଚଳିବ ।

୬୫ ବର୍ଷ ବୟସରୁ ଅଧିକ ଲୋକମାନେ ନିୟମିତ ଅନ୍ୟୁନ ୪ ହଜାର ପାହୁଣ୍ଡ ଚାଲିବା ଉଚିତ । ୟା’ଠାରୁ ଅଧିକ ବ୍ୟାୟାମ କରିବାକୁ ଚାହୁଁଥିଲେ, ପ୍ରଥମେ ଶରୀରକୁ ଅଧ୍ୟୟନ କରନ୍ତୁ । ଶରୀରର ଅଭାବ ଅସୁବିଧାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯେ କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରି ଆବଶ୍ୟକ ଶାରୀରିକ ବ୍ୟାୟାମ କରନ୍ତୁ ।