୨୦୦୬ ମସିହାରେ ମୁମ୍ବାଇରେ ଘଟି ଯାଇଥିବା ଧାରାବାହିକ ଟ୍ରେନ ବିସ୍ଫୋରଣ ମାମଲାର ବିକୃତ ଚେହେରାକୁ ବଖାଣିଛନ୍ତି ଜଣେ ଡାକ୍ତର । ଭାରତର ବିଚାର ବ୍ୟବସ୍ଥା ଗଳା ଫଟାଇ କହୁଛି, ଆଇନର ଗଳାବାଟ ଦେଇ ଯେତେ ଦୋଷୀ ଖସି ଯାଉଥିଲେ ଯାଆନ୍ତୁ, ମାତ୍ର ଜଣେ ନିରପରାଧୀ ଲୋକ ଦଣ୍ଡ ନପାଉ ।
ବିଚାର ବ୍ୟବସ୍ଥାରେ ବହୁ ପ୍ରଚଳିତ ଉପକଥାଟି ଜଣେ ଡାକ୍ତରଙ୍କ ପାଇଁ ବ୍ୟତିକ୍ରମ ହୋଇଛି । କୌଣସି ମାମଲାରେ ଜଡ଼ିତ ନଥାଇ ଡକ୍ଟର ତନବୀର ଆନସାରୀଙ୍କୁ ଦୀର୍ଘ ୧୯ ବର୍ଷ ଧରି ଜେଲ ଜୀବନ ବିତାଇବାକୁ ପଡ଼ିଛି । ବମ୍ବେ ହାଇକୋର୍ଟଙ୍କ ରାୟ ବଳରେ ଗତ ସୋମବାର ଦିନ ଅମରାବତୀ ଜେଲରୁ ମୁକୁଳିବା ପରେ ଆନସାରୀ ଖୋଲା ଆକାଶକୁ ଅନାଇ ଲମ୍ବା ନିଶ୍ୱାସଟିଏ ପକାଇଲେ । ‘ବିନା ଦୋଷରେ ଏଟିଏସ୍ ମୋତେ ୧୯ ବର୍ଷ ପାଇଁ ଜେଲକୁ ପଠାଇଦେଲା ।’ ଏତିକି କହି ସେ ଗଣମାଧ୍ୟମ ଆଗରେ ତାଙ୍କର ଦୁଃଖ ଶୁଣାଇବାକୁ ଲାଗିଲେ । ୫୦ ବର୍ଷୀୟ ଆନସାରୀ କହିଲେ, ‘ଲୋକଙ୍କୁ ବଂଚାଇବା ମୋର ପେଶା । ୨୦୦୧ ମସିହାରେ ଭୁଜ ଅଂଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସେଠାରେ ପହଂଚି ବହୁ ଲୋକଙ୍କୁ ମୃତ୍ୟୁମୁଖରୁ ବଂଚାଇ ଥିଲି ।’
ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀମାନେ ମୋତେ ଦେଶଦ୍ରୋହୀ ଭାବେ ସଜାଇ ଦେଲେ । ବିନା କାରଣରେ ମୋତେ ଆତଙ୍କୀ ମୁଖା ପିନ୍ଧାଇଦେଲେ । ମୁଁ ସେତେବେଳେ ଦକ୍ଷିଣ ମୁମ୍ବାଇରେ ପ୍ରତିଷ୍ଠିତ ସାବୁ ସିଦ୍ଦିକ ହସ୍ପିଟାଲରେ ଜଣେ ଡାକ୍ତର ଭାବେ କାମ କରୁଥିଲି । ମୋ ମାଆ ସେହି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୁଁ ତାଙ୍କର ସେବା କରିବାକୁ ସୁଯୋଗ ପାଇଲିନି । ମୋ ମା’ ୨୦୦୭ ମସିହାରେ ପ୍ରାଣ ହରାଇଲେ । ଏଟିଏସ୍ ଅଧିକାରୀମାନେ ମୋତେ ଜୋରଜବରଦସ୍ତ ଧରି ନେଇଗଲେ । ମୋତେ ପ୍ରବଳ ମାଡ଼ ମାରିଲେ । ଗୋଇଠା ବିଧା ସହିତ ଲାଠିମାଡ଼ ଦେଇ ମୋତେ ଲହୁଲୁହାଣ କଲେ । ମୋତେ ଜେଲକୁ ପଠାଇ ଦେଲେ । ମୋ ପତ୍ନୀ ସେତେବେଳକୁ ତିନିମାସର ଗର୍ଭବତୀ ଥିଲେ ।
ଆତଙ୍କୀ କାର୍ଯ୍ୟକଳାପରେ ମୋତେ ଜଡ଼ିତ କରାଇବାକୁ ଏଟିଏସ୍ ମୋତେ ୨୫ ଲକ୍ଷ ଟଙ୍କା ଓ ଗୋଟିଏ ଫ୍ଲାଟ୍ ଲୋଭ ଦେଖାଇଲେ । ମୁଁ ସେମାନଙ୍କ ପ୍ରସ୍ତାବ ଗ୍ରହଣ ନ କରିବାରୁ ମୋ ବିରୋଧରେ କଠୋର ଧାରା ଲଗାଇଦେଲେ । ମୁଁ ଜେଲ ଭିତରେ ଥିଲାବେଳେ ମୋ ପତ୍ନୀ ଝିଅଟିଏ ଜନ୍ମ ଦେଲେ । ଝିଅକୁ ଡାକ୍ତର କରାଇବା ଅଭିଳାଷ ଥିଲା । ମୋ ପତ୍ନୀ ବହୁ କଷ୍ଟ ସ୍ୱୀକାର କରି ଝିଅକୁ ପାଳିଛନ୍ତି । ଦୀର୍ଘ ୧୯ ବର୍ଷ ପରେ ନିର୍ଦ୍ଧୋଷରେ ଖଲାସ ହେଲେ କ’ଣ ହେବ? ମୋ ଜୀବନର ମୂଲ୍ୟବାନ ସମୟ ଏଟିଏସ୍ ଦେଇପାରିବ କି?