କ’ଣ ଚାଲିଛି ? ପ୍ରଫେସରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମାହୁତି

ଉଦୟପୁର: କ’ଣ ଚାଲିଛି ଦେଶରେ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ମତଲବ କ’ଣ ଏୟା  ? ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ନାହାନ୍ତି ଛାତ୍ରୀ ? ଓଡ଼ିଶାର ବାଲେଶ୍ୱରରେ ଜଣେ ଛାତ୍ରୀଙ୍କ ଆତ୍ମାହୁତି, ୟୁପିର ଗ୍ରେଟର ନଇଡ଼ାରେ ଜଣେ ଛାତ୍ରୀଙ୍କ ଆତ୍ମାହୁତି ପରେ ଉଦୟପୁରରେ ଜଣେ ମେଡିକାଲ ଛାତ୍ରୀ ଆତ୍ମାହୁତି ଦେଇ ସାରାଦେଶର ଅଧ୍ୟାପନା ମଣ୍ଡଳୀକୁ କାଠଗଡ଼ାରେ ଠିଆ କରି ଦେଇଛନ୍ତି । ଗୁରୁ ଭଳି ପବିତ୍ର ଶବ୍ଦକୁ ଅପବିତ୍ର କରିଛନ୍ତି କିଛି ଶିକ୍ଷକ ଅଧ୍ୟାପକ ପ୍ରଫେସର ଓ ପ୍ରିନ୍‌ସିପାଲ । ଝିଅମାନଙ୍କୁ କଲେଜକୁ ପଠାଇ ଘରେ ଶାନ୍ତିରେ ବସି ପାରୁନାହାନ୍ତି ଅଭିଭାବକ ମହଲ । ଶିକ୍ଷକ ମଣ୍ଡଳୀଙ୍କ ଉପରେ ଭରସା କରି ପାରୁନାହାନ୍ତି ଅଭିଭାବକ ମଣ୍ଡଳୀ ।

ରାଜସ୍ଥାନର ଉଦୟପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଜଣେ ଛାତ୍ରୀ ଏକାଧିକବାର ଅଧ୍ୟାପକଙ୍କ ମାନସିକ ନିର‌୍ୟାତନାର ଶିକାର ହେବାପରେ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ତାଙ୍କୁ ହଷ୍ଟେଲ ରୁମ ଭିତରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ମୃତ ଛାତ୍ରୀଙ୍କ ନାମ ଶ୍ୱେତା ସିଂ । ତାଙ୍କ ଘର ଜମ୍ମୁ-କଶ୍ମୀର । ଶ୍ୱେତା ଉକ୍ତ କଲେଜର ବିଡିଏସ୍ ଫାଇନାଲ ଇୟର ଛାତ୍ରୀ ଥିଲେ । ସୁଇସାଇଡ୍ ନୋଟ୍‌ରେ ଶ୍ୱେତା କଲେଜ ପ୍ରଶାସନ ଉପରେ ଗୁରୁତର ଅଭିଯୋଗ କରିଛନ୍ତି ।