ଦୀର୍ଘାୟୁ ରହସ୍ୟ କହିଲେ ଡାକ୍ତର: ମରିବା କଥା ମନେ ପକାଇବା ଅନୁଚିତ

ମଣିଷ ମରି ଯାଆନ୍ତା କି ସବୁ ଜଞ୍ଜାଳରୁ ମୁକ୍ତି ମିଳନ୍ତା । ଏମିତି ଭାବନା ମନକୁ ଆଣୁଥିବା ପୁରୁଷ ଅବା ମହିଳା ଖୁବ୍ ଶୀଘ୍ର ରୋଗଗ୍ରସ୍ତ ହୋଇଯାନ୍ତି । ନାନା ରୋଗ କବଳରେ ପଡ଼ି ଛଟପଟ ହୁଅନ୍ତି, କଲବଲ ହୋଇ ମରନ୍ତି ।

ଦୀର୍ଘ ଜୀବନ ଧରି ବଂଚି ରହିବାର ଗୂଢ଼ ରହସ୍ୟ ହେଉଛି ଜୀବନର ଲକ୍ଷ୍ୟ ପଛରେ ନିରନ୍ତର ଧାଇଁବା । କଥାରେ ଅଛି, ‘ଚାଲିବା ଚାଲିବା ନ ପଡ଼ିବା ଥକି ମୁଦିବା ପୂର୍ବରୁ ଆଖି ।’ ଏହି ମନ୍ତ୍ରଟିକୁ ସାରା ଜୀବନ ପାଇଁ ଆଶ୍ରୟ କରିଥିବା ଲୋକମାନେ ଦୀର୍ଘାୟୁ ହୋଇଥାନ୍ତି । କର୍ମମୟ ଜଞ୍ଜାଳରୁ ଅବସର ନେବାର ଅର୍ଥ ଜୀବନର ସବୁ ଆଶା ପୂରଣ ହୋଇଗଲା । ଆଉ ବଂଚିବା ଦରକାର ନାହିଁ । ଯୋଉଦିନ ମନରେ ଏଭଳି ଭାବନା ଆସିଯାଏ, ସେହିଦିନଠାରୁ ମଣିଷକୁ ବାର୍ଦ୍ଧକ୍ୟ ଗ୍ରାସ କରେ ।

ଏକଥା ସତ, ବୟସ ବଢ଼ିବା ସହିତ ମଣିଷର ସବୁ ଅଙ୍ଗପ୍ରତ୍ୟଙ୍ଗ ଅବଶ ହୋଇଯାଏ, ଚର୍ମ ଧୁଡୁଧୁଡୁ ହୋଇଯାଏ । ଶରୀର ଦୁର୍ବଳ ହୋଇଯାଏ । ଯୁବ ସୁଲଭ ଚେହେରା ମଉଳି ଯାଏ । ତା’ର ମାନେ ନୁହେଁ ଯେ ମନଟାକୁ ଦୁର୍ବଳ କରି କୌଣସି କାମଦାମ ନକରିବା ।

୧୦୨ ବର୍ଷ ବୟସରେ ପଦାର୍ପଣ କରିଥିବା ଆମେରିକା ଡାକ୍ତର ହାୱାର୍ଡ ଟୁକେର କହନ୍ତି, ‘ଲକ୍ଷ୍ୟ ବିନା ମଣିଷ ବେଶିଦିନ ବଂଚି ରହିପାରେନା । କର୍ମମୟ ଜୀବନ ଭିତରେ ବୁଡ଼ି ରହିବା ଭିତରେ ମଣିଷ ମନକୁ ମୃତ୍ୟୁ ଗ୍ରାସ କରେନା । ମନରେ ମୃତ୍ୟୁ ଭାବନା ଆସିବାର ମାନେ ଆପଣ ମୃତ୍ୟୁକୁ ହାତଠାରୁ ଡାକୁଛନ୍ତି ।

ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ରହିଲେ, ଆପଣଙ୍କ ମନ ପ୍ରାଣ ଓ ଶରୀର ସତେଜ ରହିବ । ଆପଣଙ୍କୁ ରୋଗ ଗ୍ରାସ କରିପାରିବନି । ବିଳାସମୟ ଜୀବନ ଯାପନ କରୁଥିବା ଲୋକ ନିକଟରେ ମଧ୍ୟ ଅଭାବ ଅସୁବିଧା ରହିଛି । ଯେତେ ଅଭାବ ଅସୁବିଧା ଥିଲେ ମଧ୍ୟ ମନକୁ ସବୁବେଳେ ଚିନ୍ତାମୁକ୍ତ ରଖିବ, ମୃତ୍ୟୁ ଆପଣଙ୍କ ନିକଟକୁ ଆସିବାକୁ ଡରିବ ।’