ଏକ ଘଟଣାକ୍ରମରେ ଦିଲ୍ଲୀର ନରେଲା ଅଂଚଳରେ ଜଣେ ବ୍ୟକ୍ତି ତାଙ୍କର ୧୦ ବର୍ଷ ବୟସର ପୁଅକୁ ମାରି ଦେଇଛନ୍ତି । ପୁଅକୁ ଜଘନ୍ୟ ଭାବେ ହତ୍ୟା କରି ସାରିବା ପରେ ଅଭିଯୁକ୍ତ ବାପା ପତ୍ନୀଙ୍କ ନିକଟକୁ ଫୋନ୍ କରି ସବୁ ଜଣାଇ ଦେଇଥିଲା । ମୃତ ନାବାଳକଙ୍କ ମା’ଙ୍କ ନିକଟରୁ ଅଭିଯୋଗ ପାଇବା ପରେ ପୁଲିସ ହତ୍ୟା ଅଭିଯୁକ୍ତଙ୍କ ଘରେ ପହଂଚି ନାବାଳକଙ୍କ ମୃତଦେହକୁ ଜବତ କରିଛି । ମାତ୍ର ଅଭିଯୁକ୍ତ ବାପାକୁ ଗିରଫ କରିପାରିନି ।
ପ୍ରାଥମିକ ଅନୁସନ୍ଧାନ ପରେ ପୁଲିସ କହିଛି, ପତି-ପତ୍ନୀଙ୍କ ଭିତରେ ସବୁବେଳେ କଳି କଜିଆ ଲାଗି ରହୁଥିଲା । ପତିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ବିଚରା ପତ୍ନୀ ଅନ୍ୟତ୍ର ପିଲା ଦୁଇଟିଙ୍କୁ ଧରି ବସବାସ କରୁଥିଲେ । ମୃତ ନାବାଳକଟି ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନଥିଲେ । ପୁଅ ଘରକୁ ନ ଫେରିବା ଜାଣି ମା’ ବ୍ୟତିବ୍ୟସ୍ତ ହୋଇଥିଲେ । ପୁଅକୁ ଖୋଜାଖୋଜି କରୁଥିବା ସମୟରେ ପୁଅର ବାପା ନରେନ୍ଦ୍ରଙ୍କ ନିକଟରୁ ଫୋନ୍ କଲ ଆସିଥିଲା ।
ସ୍ୱାମୀଙ୍କ ନିକଟରୁ ପୁଅର ମୃତ୍ୟୁ ଖବର ପାଇ ମା’ ପାଗଳି ପ୍ରାୟ ହୋଇ ଥାନାରେ ପହଂଚିଲେ । ପୁଲିସକୁ ସାଙ୍ଗରେ ଧରି ଅଭିଯୁକ୍ତ ନରେନ୍ଦ୍ରଙ୍କ ଘରକୁ ଗଲେ । ମାତ୍ର ସେତେବେଳକୁ ସବୁ କାମ ସରିଥିଲା । ପୁଅର ମୃତଦେହ ତଳେ ପଡ଼ିଥିଲା, ଅଭିଯୁକ୍ତ ବାପା ଫେରାର ହୋଇଯାଇଥିଲା ।