ବୁଧବାର ଦିନ ରୁଷିଆରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହେବା ପରେ ପରେ ଭୂପୃଷ୍ଠରୁ ପ୍ରାୟ ୪୮୦୦ ମିଟର ଉଚ୍ଚତା ବିଶିଷ୍ଟ ପାହାଡ ଶିଖରରୁ ପ୍ରାୟ ୭୦୦ ମିଟର ବ୍ୟାସ ବିଶିଷ୍ଟ ଜ୍ୱାଲାମୁଖୀ ସୃଷ୍ଟି ହୋଇଚି । ଜ୍ୱାଲାମୁଖ ବାଟ ଦେଇ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ଓ ତରଳ ଲାଭା ଉଦ୍ଗୀରଣ ହେବାକୁ ଲାଗିଛି ।
ବିଶେଷଜ୍ଞମାନେ କହିଚନ୍ତି, ରିକ୍ଟର ସ୍କେଲରେ ୮.୮ ତୀବ୍ରତା ସଂପନ୍ନ ଭୂକମ୍ପର କ୍ଷମତା ପ୍ରାୟ ୧୫ ହଜାର ପରମାଣୁ ବୋମାର କ୍ଷମତା ସହିତ ସମାନ । ଭୂକମ୍ପ ପ୍ରଭାବରେ ନଭଶ୍ଚୁମ୍ବୀ ଅଟ୍ଟାଳିକାଗୁଡ଼ିକ ଦିଆସିଲି ଖୋଳ ପରି ଧସିଯାଇଛି । ଲୋକମାନେ ଉଚ୍ଚ ଅଟ୍ଟାଳିକା ଭିତରେ ଫସି ରହିଛନ୍ତି । ଏଭଳି ଭୂକମ୍ପ ରୁଷିଆ ଇତିହାସରେ କେବେ ଘଟି ନଥିଲା ବୋଲି କୁହାଯାଉଛି ।
ରୁଷିଆର ଭୂକମ୍ପ ପ୍ରଶାନ୍ତ ମହାସାଗର ଓ ତା’ର ଆଖପାଖ ସାଗରରେ ମହାବିପଦର ଆଶଙ୍କା ସୃଷ୍ଟି କରିଛି । ଆସନ୍ତା ମାସକ ଭିତରେ ପ୍ରାୟ ୧୨ଟି ଦେଶରେ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା କରାଯାଉଛି ।
ରୁଷିଆର କାମ୍ଚାଟ୍କାରେ ଘଟିଥିବା ଭୂକମ୍ପ ପ୍ୟାସିଫିକ୍ ପ୍ଲେଟ ଓ ୟୁରୋସିଆନ୍ ପ୍ଲେଟ ସନ୍ଧିସ୍ଥଳରେ ଘଟିଛି । ଆମେରିକାର ହାୱାଇ, କାଲିଫର୍ଣ୍ଣିଆ, ଓରେଗନ୍ ଓ ଆଲାସ୍କାରେ ସରକାରୀ ସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରୁଷିଆର ପୂର୍ବତଟରେ ବ୍ୟାପକ କ୍ଷୟକ୍ଷତି ହୋଇଚି । ଚିଲି, କଲମ୍ବିଆ, ଇକ୍ୱେଡର, ପାନାମା, ମେକ୍ସିକୋ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଫ୍ରାନ୍ସ ପଲିନେସିଆ ଓ ନ୍ୟୁଜିଲାଣ୍ଡ ପ୍ରତି ବିପଦ ସୃଷ୍ଟି ହୋଇଛି ।