୨୦୦୮ ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ମାଲେଗାଁଓ ଅଂଚଳରେ ଘଟିଥିବା ବୋମା ବିସ୍ଫୋରଣ ମାମଲାରୁ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର କୋର୍ଟ ଖଲାସ କରିଛନ୍ତି । ଉକ୍ତ ମାମଲାକୁ ସଂସଦ ଭିତରେ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କଂଗ୍ରେସର ହିନ୍ଦୁ ବିରୋଧୀ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ ।
ଦୀର୍ଘ ୧୭ ବର୍ଷ ପରେ ମାଲେଗାଁଓ ମାମଲାରେ ହିନ୍ଦୁ ସଂଗଠନ ବାଜି ମାରିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦିଜୀ ଧର୍ମର ଜୟ ହୋଇଛି, ସତ୍ୟର ଜୟ ହୋଇଛି, ହିନ୍ଦୁତ୍ୱର ଜୟ ହୋଇଛି ବୋଲି କହିଥିଲେ । ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ହୀନ ମାନସିକତାର ବ୍ୟକ୍ତି ପ୍ରଧାନମନ୍ତ୍ରୀ ଭଳି ଗରିମାମୟ ପଦବୀରେ ଅବସ୍ଥାପିତ ହୋଇ ଏପରି ଶସ୍ତା ମନ୍ତବ୍ୟ ଦେଇପାରନ୍ତି । ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ବ୍ୟକ୍ତି ଧର୍ମ, ସଂପ୍ରଦାୟ, ଜାତି, ଲିଙ୍ଗ ଭଳି ସଂକୀର୍ଣ୍ଣ ମନୋଭାବରୁ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କ ପ୍ରତି ସମଭାବାପନ୍ନ ରହିବା ଦରକାର ।
ମାଲେଗାଁଓ ବାଇକ୍ ବୋମା ବିସ୍ଫୋରଣ ପଛରେ ସାଧ୍ୱୀ ପ୍ରଜ୍ଞା ଠାକୁର ଓ ତାଙ୍କର ଅନୁଗାମୀମାନଙ୍କ ସଂପୃକ୍ତି ଅଛି କି ନାହିଁ, ସେ ବିଷୟ ନରେନ୍ଦ୍ର ମୋଦିଙ୍କୁ ଭଲ ଭାବରେ ଜଣା ଅଛି । ମହାରାଷ୍ଟ୍ର ଏଟିଏସ୍ ତଦନ୍ତ ରିପୋର୍ଟରେ ବିସ୍ଫୋରଣରେ ବ୍ୟବହୃତ ବାଇକର ଚେସିସ୍ ନମ୍ବର ଉଲ୍ଲେଖ କରାଯାଇଥିଲା । ବାଇକର ମାଲିକ ଭାବେ ପ୍ରଜ୍ଞା ଠାକୁରଙ୍କ ନାମ ଉଲ୍ଲେଖ କରାଯିବା ସହିତ ଆରଟିଓ ରେକର୍ଡ ସଂଯୁକ୍ତ କରାଯାଇଥିଲା । ମାତ୍ର ଏସ୍ଆଇଟି ତଦନ୍ତ ରିପୋର୍ଟ ଏନ୍ଆଇଏ ହାତରେ ପଡ଼ିବା ପରେ ବାଇକର ଚେସିସ୍ ନମ୍ବର ଗାଏବ ହୋଇଗଲା । ପ୍ରଜ୍ଞା ଠାକୁରଙ୍କୁ ମୁକ୍ତ କରିବା ପାଇଁ ଏନ୍ଆଇଏ ଅଧିକାରୀଙ୍କ ଜରିଆରେ ବାଇକର ଚେସିସ୍ ନମ୍ବର ଗାଏବ କରି ଦିଆଗଲା ।
ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ଏନ୍ଆଇଏ ପକ୍ଷରୁ ଚାଲିଥିବା ଉଦ୍ୟମ ଭିତରୁ ଆପଣଙ୍କୁ ଗୋଟିଏ ଜଣାଇଲୁ । ମାମଲାକୁ ଅତି ହାଲୁକା ଭାବେ ପରିଚାଳନା କରିବା ପାଇଁ ସରକାରୀ ଓକିଲଙ୍କୁ ପରାମର୍ଶ ଦିଆଯାଇଥିଲା । ସବୁଠାରୁ ଗୁରୁତ୍ୱର ବିଷୟ ହେଉଛି, ବିଜେପି ଶାସନାଧୀନ ଡବଲ ଇଞ୍ଜିନ ସରକାରରେ ଅଦାଲତରୁ ଅଭିଯୁକ୍ତଙ୍କୁ ଖସାଇବା ବାମହାତର ଖେଳ ।