ନକଲି ଡାକ୍ତରଙ୍କ ହାତରେ ଚାଲିଗଲା ୫ ରୋଗୀଙ୍କ ଜୀବନ

ଭୋପାଳ: ଜନୈକ ନକଲି ଡାକ୍ତରଙ୍କ ହାତରେ ଗୋଟିଏ ଦିନରେ ୫ ଜଣ ହୃଦରୋଗୀଙ୍କ ଜୀବନ ଚାଲିଯାଇଛି । ଅଭିଯୁକ୍ତ ନକଲି ଡାକ୍ତରଙ୍କ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ଓରଫ ଡକ୍ଟର ଜନ୍ କ୍ୟାମ । ବ୍ରିଟେନର ଜଣେ ନାମୀ ହୃଦରୋଗ ବିଶେଷଜ୍ଞ ବୋଲି ପରିଚୟ ଦେଇ ଅଭିଯୁକ୍ତ ନରେନ୍ଦ୍ର ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ ।
ମଧ୍ୟପ୍ରଦେଶ ବିଧାନସଭାରେ ଦାଖଲ କରାଯାଇଥିବା ରିପୋର୍ଟ ମୁତାବକ ଅଭିଯୁକ୍ତ ନକଲି ଡାକ୍ତର ଜାନୁଆରୀ ୨ ତାରିଖରୁ ଫେବୃଆରୀ ୧୧ ତାରିଖ ଭିତରେ ଦାମୋହ ଜିଲ୍ଲାର ମିଶନ ହସ୍ପିଟାଲରେ ପ୍ରାୟ ୧୨ ଜଣ ରୋଗୀଙ୍କର ଚିକିତ୍ସା କରିଥିଲେ । ଅଭିଯୁକ୍ତ ନରେନ୍ଦ୍ରଙ୍କ ହାତରେ ମୃତ୍ୟୁବରଣ କରିଥିବା ଶେଷ ୫ ଜଣ ରୋଗୀଙ୍କ ବୟସ ୫୧ରୁ ୭୫ ବର୍ଷ ଭିତରେ ହେବ । ୫ ଜଣଙ୍କ ଭିତରୁ ଦୁଇଜଣ ଅପରେସନ୍ ଟେବୁଲରେ ପ୍ରାଣ ହରାଇଥିଲେ ଓ ତିନିଜଣ ଅପରେସନ୍ ସରିବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ । ଅଭିଯୁକ୍ତ ଯାଦବଙ୍କ ପେଶାଗତ ସାର୍ଟିଫିକେଟ୍‌କୁ ଭଲ ଭାବରେ ଯାଂଚ ନ କରି ତାଙ୍କୁ ରୋଗୀଙ୍କ ଚିକିତ୍ସା କରିବା ପାଇଁ ଅନୁମତି ଦିଆଯିବା ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ବିଭିନ୍ନ ସଂଗଠନ ।