ରାଜ୍ୟ ସରକାରଙ୍କ ପ୍ରଣୀତ ନୂତନ ଶ୍ରମ ଆଇନ ଅନୁସାରେ ଆଜିଠାରୁ ଘରୋଇ ବାଣିଜ୍ୟ ପ୍ରତିଷ୍ଠାନରେ ମହିଳାମାନଙ୍କୁ ବିଳମ୍ବିତ ରାତିରେ କାମ କରିବାକୁ ସୁଯୋଗ ମିଳିବ । ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ଭିତରେ ମହିଳାଙ୍କୁ କର୍ମସ୍ଥଳୀରେ କାମ କରିବାକୁ ପଡ଼ିବ । ସରକାରଙ୍କ ପକ୍ଷରୁ କେତୋଟି କଟକଣା ଜାରି କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାରଖାନା ବା ବାଣିଜ୍ୟ ପ୍ରତିଷ୍ଠାନରେ ରହି କାମ କରିବାକୁ ଚାହୁଁଥିବା ମହିଳାଙ୍କୁ ସହମତି ପତ୍ର ଦାଖଲ କରିବାକୁ ପଡ଼ିବ ।
ସରକାରଙ୍କ ନିୟମ ଅନୁସାରେ ଅନ୍ୟୁନ ତିନିଜଣ ମହିଳା କର୍ମଚାରୀ କାମ କରିପାରିବେ । ବିଳମ୍ବିତ ରାତିରେ ରହି କାମ କରୁଥିବା ମହିଳାଙ୍କୁ ନବା ଆଣିବା କରିବା ପାଇଁ ନିୟୋଜିତ ଗାଡ଼ିର କାଗଜପତ୍ର ଥାନାରେ ଦାଖଲ କରାଯିବ ।
ମହିଳାଙ୍କୁ ଘର ନିକଟରୁ କର୍ମସ୍ଥଳୀ ନିକଟକୁ ନବାଆଣିବା କରୁଥିବା ଗାଡ଼ିର ବାହାର ପଟେ ଜିପିଆର୍ଏସ୍ ଖଞ୍ଜା ଯାଇଥିବା ଗାଡ଼ି ଲେଖିବାକୁ ପଡ଼ିବ ।
ଏକ ମହତ୍ ଉଦ୍ଦେଶ୍ୟ ରଖି ସରକାର ନୂତନ ଶ୍ରମ ଆଇନ ଲାଗୁ କରିଛନ୍ତି । ଉକ୍ତ ଆଇନ ବଳରେ ମହିଳାମାନେ ବିଳମ୍ବିତ ରାତିରେ କାମ କରିବାକୁ ସୁଯୋଗ ପାଇବେ, ଅଧିକ ପାରିଶ୍ରମିକ ପାଇବେ । ଅନ୍ୟ ପକ୍ଷରେ କମ୍ପାନୀର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ଓ ବେପାରରୁ ସରକାର ମଧ୍ୟ ଉପକୃତ ହେବେ ।
ସବୁକିଛି ଠିକଠାକ୍ ଲାଗୁଛି, ମାତ୍ର ସରକାରଙ୍କ ଶ୍ରମ ଆଇନରେ କିଛି ଗଳାବାଟ ରହିଛି ଯାହା କମ୍ପାନୀ ମାଲିକଙ୍କୁ ସୁହାଇବ ଓ ମହିଳା କର୍ମଚାରୀଙ୍କ ପାଇଁ ଦୁଃଖଦାୟକ ରହିବ । ସରକାର ପୂର୍ବ ପ୍ରଚଳିତ ଶ୍ରମ ଆଇନକୁ କଡ଼ାକଡ଼ି ପାଳନ କରୁନାହାନ୍ତି । ମହିଳା କର୍ମଚାରୀଙ୍କୁ ସ୍ୱାସ୍ଥ୍ୟକର ଓ ସୁରକ୍ଷିତ ପରିବେଶରେ ରାତ୍ରୀକାଳୀନ ଡ୍ୟୁଟି କରିବା କଥାଟି ମଧ୍ୟ ଧର୍ମକୁ ଆଖିଠାର ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି ।