ସ୍ୱାମୀଙ୍କୁ ହଟାଇ ପ୍ରେମିକଙ୍କ ସହ ସଂସାର କରିବାକୁ ବସିଥିଲେ, ଧରା ପକାଇଲା ମୋବାଇଲ

ଦିଲ୍ଲୀର ଜଣେ ୩୪ ବର୍ଷୀୟା ମହିଳା ଏକାଧିକ ଅପରାଧରେ ଜଡ଼ିତ ସ୍ୱାମୀଙ୍କ କବଳରୁ ମୁକ୍ତି ପାଇବାକୁ ଯାଇ ବିରାଟ ଅପରାଧ କରି ପକାଇଲେ । ପ୍ରେମିକଙ୍କ ସହ ନୂଆ ସଂସାର କରିବାର ଆଶା ତାଙ୍କୁ ହତ୍ୟାକାରୀ ସଜାଇଦେଲା ବୋଲି ରବିବାର ଦିନ ଦିଲ୍ଲୀ ପୁଲିସ ଗଣମାଧ୍ୟମକୁ ଜଣାଇଛି । ମହିଳାଜଣକ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ହରିଆଣାର ଏକ କେନାଲରେ ଭସାଇ ଦେଇଥିଲେ ।

ପୁରା ଘଟଣଟା ଏହିପରି । ସୋନିୟାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ବେଳେ ବିବାହ କଲେ ୪୨ ବର୍ଷୀୟ ପ୍ରୀତମ ପ୍ରକାଶଙ୍କୁ । ବିବାହ ପରେ ଦୁହେଁ ଦିଲ୍ଲୀ ପଳାଇ ଯାଇ ଆଲିପୁର ଅଂଚଳରେ ରହିଲେ । ଉଭୟଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ପ୍ରୀତମ ଡ୍ରଗ୍‌ସ ମାୟାରେ ପଡ଼ି ଅପରାଧ ଦୁନିଆରେ ପାଦ ଦେଇ ସାରିଥିଲା । ତାକୁ ବାଟକୁ ଆଣିବାର ସବୁ ଚେଷ୍ଟା କରି ସୋନିୟା ବିଫଳ ହେଲେ । ହତ୍ୟା, ରାହାଜାନି, ଡକାୟତି, ଅପହରଣ ଭଳି ମାମଲାରେ ଜଡ଼ିତ ରହି ପ୍ରୀତମ ପୁଲିସ ଫାଇଲରେ ଅପରାଧୀ ହୋଇଗଲା ।

୨୦୨୩ ମସିହାରେ ସୋନିୟାଙ୍କ ସହିତ ଭେଟ ହେଲା ରୋହିତଙ୍କର । ଦୁହେଁ ଘର ସଂସାର କରିବାକୁ ନିଷ୍ପତି ନେଲେ ଓ ପ୍ରୀତମକୁ ସବୁଦିନ ପାଇଁ ବାଟରୁ ହଟାଇବାର ଯୋଜନା କଲେ । ୨୦୨୪ ଜୁଲାଇ ୨ ତାରିଖ । ପ୍ରୀତମଙ୍କ ସହିତ ଝଗଡ଼ା କରି ସୋନିୟା ହରିଆଣାର ସୋନିପତ ଅଂଚଳରେ ରହୁଥିବା ଭଉଣୀ ଦୀପାଙ୍କ ଘରକୁ ଚାଲିଗଲେ । ଯୋଜନା ମୁତାବକ ରୋହିତ ଯାଇ ସୋନିପତରେ ସୋନିୟାଙ୍କୁ ଭେଟିଲା । ରୋହିତ ପ୍ରାୟ ଚାରିଟି ଅପରାଧିକ ମାମଲାରେ ଜଡ଼ିତ ଥିବାରୁ ନିଜେ ପ୍ରୀତମକୁ ହତ୍ୟା କରିବାକୁ ମନା କରିଦେଲା । କିନ୍ତୁ ସୋନିୟାଙ୍କ ପାଇଁ ଗୋଟିଏ ସୁପାରି କିଲର ଠିକ କଲା । ସଂପୃକ୍ତ କିଲର ୬ ଲକ୍ଷ ଟଙ୍କା ଦାବି କରିବାରୁ ଯୋଜନାଟି ଫସର ଫାଟିଲା ।

ଜୁଲାଇ ୫ ତାରିଖ ଦିନ ପ୍ରୀତମ ସୋନିପତରେ ପହଂଚି ସୋନିୟାଙ୍କୁ ଘରକୁ ଯିବାକୁ କହିଲା । ସୋନିୟା ଭଉଣୀ ଦୀପାଙ୍କ ଦିଅର ବିଜୟଙ୍କ ହାତକୁ ୫୦ ହଜାର ଟଙ୍କା ବଢ଼ାଇ ଦେଇ ପ୍ରୀତମକୁ ମାରି ଦେବାକୁ କହିଲା । ସେଦିନ ରାତିଟା ଭଉଣୀ ଘରେ କଟାଇ ଦେବାକୁ ପ୍ରୀତମକୁ ଅନୁରୋଧ କଲା ସୋନିୟା । ସୋନିୟା ଓ ଅନ୍ୟମାନେ ଟେରାସରେ ଶୋଇଗଲେ । ପ୍ରୀତମ ଓ ବିଜୟ ତଳ ଘରେ ଶୋଇଲେ । ମଉକା ଦେଖି ବିଜୟ ପ୍ରୀତମକୁ ହତ୍ୟା କଲା । ଗୋଟିଏ ଚାଦରରେ ପ୍ରୀତମର ମୃତଦେହକୁ ଗୁଡ଼ାଇ ନିକଟରେ ବହି ଯାଉଥିବା ନଳାରେ ପକାଇଦେଲା ।

ପ୍ରୀତମଙ୍କ ମୋବାଇଲ ଫୋନ୍‌ଟିକୁ ରୋହିତଙ୍କ ହାତକୁ ବଢ଼ାଇ ଦେଇ ତାକୁ ନଷ୍ଟ କରିବାକୁ କହିଲା ସୋନିୟା । ପୁଲିସ ନଳାରୁ ପ୍ରୀତମଙ୍କ ମୃତଦେହକୁ ଉଦ୍ଧାର କଲା । ମୃତଦେହକୁ ଅପରିଚିତ ଦର୍ଶାଇ ଫାଇଲ୍ ବନ୍ଦ କରିଦେଲା । ସୋନିୟା ଦିଲ୍ଲୀ ଫେରିଯାଇ ଆଲିପୁର ଥାନାରେ ପହଂଚି ଜୁଲାଇ ୫ ତାରିଖରୁ ପ୍ରୀତମ ନିଖୋଜ ବୋଲି ଅଭିଯୋଗ କଲେ । କ୍ରାଇମ୍ ବ୍ରାଂଚ୍ ପ୍ରୀତମଙ୍କୁ ଠାବ କରି ପାରିଲାନି, କିନ୍ତୁ ପ୍ରୀତମଙ୍କ ମୋବାଇଲ ଆକ୍ଟିଭ ଥିବା ଜାଣିବାକୁ ପାଇଲା । ମୋବାଇଲକୁ ଟ୍ରାକ୍ କରି ପୁଲିସ ରୋହିତ ନିକଟରେ ପହଂଚିଗଲା । ସବୁକଥା ସାମ୍ନାକୁ ଆସିଗଲା । ଏବେ ସୋନିୟା, ବିଜୟ ଓ ରୋହିତ ଜେଲରେ ।