ରୁଷିଆ ନିକଟରୁ ଭାରତ ବିପୁଳ ପରିମାଣର ଅଶୋଧିତ ତେଲ କିଣୁଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତି ଉପରେ ଟିକସ ପାହାର କରିଛନ୍ତି । ୟୁକ୍ରେନ ଉପରେ ରୁଷିଆର ଆଖିବୁଜା ହମ୍ଲା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ରୁଷିଆ ସହିତ କୌଣସି ବାଣିଜ୍ୟ ସଂପର୍କ ନରଖିବା ପାଇଁ ବିଶ୍ୱବାସୀଙ୍କୁ ଆହ୍ୱାନ କରିଥିଲା ।
ରୁଷିଆ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ବାସନ୍ଦ ନୀତିକୁ ଭାରତ ଗ୍ରହଣ କରି ନଥିଲା । ଭାରତ ରୁଷିଆ ନିକଟରୁ ଚାହିଦା ମୁତାବକ ତେଲ କିଣା ଜାରି ରଖିଲା । ଭାରତର ତେଲକିଣାକୁ ସହି ପାରିଲେନି ଟ୍ରମ୍ପ ।
ସୋସିଆଲ ମିଡିଆ ଜରିଆରେ ଭାରତକୁ ଧମକ ଦେଇ ବାରତା ଲେଖିଲେ, ରୁଷିଆ ଆକ୍ରମଣରେ ୟୁକ୍ରେନରେ ଦୈନିକ କେତେ ଲୋକ ମରୁଛନ୍ତି, ସେଗୁଡ଼ିକୁ ଗଣିବା ଛାଡ଼ିଦେଉ ଭାରତ । ରୁଷିଆ ନିକଟରୁ ତେଲ କିଣୁଥିବା ପର୍ଯ୍ୟନ୍ତ ଭାରତକୁ ଟିକସ ମାଡ଼ ଖାଇବାକୁ ପଡ଼ିବ ।
ଯୁକ୍ତରାଷ୍ଟ୍ର ଆମେରିକାର ବାରତା ପଢ଼ିବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ପ୍ରକାଶ କରି ଟ୍ରମ୍ପଙ୍କ ଟିକସ ମାଡ଼ ଯୁକ୍ତିସଂଗତ ନୁହେଁ । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଯୁଦ୍ଧ ଆରମ୍ଭ ସମୟରେ ରୁଷିଆ ନିକଟରୁ ଅଧିକରୁ ଅଧିକ ତେଲ କିଣିବା ପାଇଁ ଖୋଦ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ପରାମର୍ଶ ଦେଇଥିଲା । ଏବେ ତାକୁ ପ୍ରତିବାଦ କରି ଭାରତ ଉପରେ ଦାଉ ସାଧିବା ଯୁକ୍ତରାଷ୍ଟ୍ର ଆମେରିକା ଆଦୌ ଭଲ କରୁନି ।
ଟ୍ରମ୍ପଙ୍କ ଟିକସ ଧମକରେ ଭାରତ ଡରିଯିବନି, ଭାରତକୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରାଯିବ । ଟ୍ରମ୍ପଙ୍କ ୨୫% ବର୍ଦ୍ଧିତ ଟିକସ ନୀତିର ଶିକାର ହେବାପରେ ବିଶ୍ୱ ଦରବାରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପରମ ମିତ୍ର ରୂପେ ପରିଚୟ ଦେବାକୁ ଭାରତ କୁଣ୍ଠାବୋଧ କରୁଛି ।