ଜମିବାଡି ବିବାଦ : ବାପା ହାତରେ ଗଲା ପୁଅ ଜୀବନ

ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଅମ୍ବିକାପୁର କଲୋନୀରେ ଜମିବାଡ଼ି ବିଭାଜନକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଗତ ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୩ଟାରୁ ୪ଟା ଭିତରେ ବାପପୁଅଙ୍କ ଭିତରେ ଯୁକ୍ତିତର୍କ ଚାଲିଥିଲା ।

ଯୁକ୍ତିତର୍କରୁ ପାଟିତୁଣ୍ଡ । ପାଟିତୁଣ୍ଡରୁ ହାତାହାତି । ତା’ପରେ ପୁଅ ‘ବେଶି ଯୁକ୍ତି କରୁଛୁ, ଦେଖିବୁ ଏବେ’ କହି ହାତରେ ଛୁରା ଧରି ବାପାଙ୍କ ଆଡ଼କୁ ଝପଟି ଗଲା । ବେଶ କିଛି ସମୟ ଧରି ବାପପୁଅ ତଳେ ଗଡ଼ାଗଡ଼ି ହେଲେ । ଛୁରାଟିକୁ ପୁଅ ହାତରୁ ଛଡ଼ାଇ ଆଣିବା ସମୟରେ ତାହା ପଶି ଯାଇଥିଲା ପୁଅ ଛାତିରେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ କିଛି ସମୟ ଛଟପଟ ହୋଇ ମରି ଯାଇଥିଲା ପୁଅ ରବି । ପରିବାର ନିକଟରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚିଲା । ପୁଅର ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଲା । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।