ଏବେ ମଧ୍ୟ ଆୟର୍ଲାଣ୍ଡରେ କଳାଗୋରା ଭେଦଭାବ : ପୀଡ଼ିତା ଜଣକ ୬ ବର୍ଷୀୟା ଭାରତୀୟ

ବୟସ ମାତ୍ର ୬ ବର୍ଷ । କଳାଗୋରା ଭେଦଭାବକୁ ଭେଦ କରିବାର ସାଧାରଣ ଜ୍ଞାନ ନାହିଁ । ତାଙ୍କୁ ଆୟର୍ଲାଣ୍ଡ ଭଳି ଏକ ଉଚ୍ଚ ଶିକ୍ଷିତ ସହରରେ ଜାତିଆଣ ମନୋଭାବର ଶିକାର କରାଗଲା । ଭାରତୀୟ ବଂଶୋଦ୍ଭବ ୬ ବର୍ଷ ବୟସର ବାଳିକାଙ୍କୁ ‘ଡାର୍ଟି ଇଣ୍ଡିୟାନ୍‌’ ସମ୍ବୋଧନ କରି ତାଙ୍କ ମୁହଁକୁ ବିଧା ମରାଯାଇଛି । ତାଙ୍କ ଗୁପ୍ତାଙ୍ଗକୁ ସାଇକେଲରେ ଆଘାତ କରାଯାଇଛି ।

କେରଳର କୋଟ୍ଟାୟାମ ଅଂଚଳର ଗୋଟିଏ ପରିବାର ଆୟର୍ଲାଣ୍ଡର ଦକ୍ଷିଣରେ ଅବସ୍ଥିତ ୱାଟରଫୋର୍ଡ ସିଟିରେ ରହୁଛନ୍ତି । ସେହି ପରିବାରର ୬ ବର୍ଷର  ବାଳୁତ କନ୍ୟାଙ୍କୁ ଗୋଟିଏ ୫ ଜଣିଆ ଟିମ୍ ଅସଦାଚରଣ କରିଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି, ୫ ଜଣିଆ ବାଳୁଙ୍ଗା ଟିମ୍ ଭିତରେ ଜଣେ ୮ ବର୍ଷୀୟା ଝିଅଟିଏ ଅଛନ୍ତି । ଝିଅଟିର ମୁହଁ, ବେକରେ ଆଘାତ ଲାଗିଛି । ତା’ ମୁଣ୍ଡକେଶକୁ ଧରି କିଛି ଲୋକ ଟଣାଓଟରା କରିଛନ୍ତି ।

ଝିଅଟିର ମା’ ୮ ବର୍ଷ ତଳେ ସେଠାକୁ ଯାଇଥିଲେ । ୮ ବର୍ଷ ଧରି ନର୍ସ କାମ କରି ଆସୁଛନ୍ତି । ତାଙ୍କ ବାପା ନିକଟରେ ଆୟର୍ଲାଣ୍ଡ ନାଗରିକତା ଲାଭ କରିଛନ୍ତି । ଝିଅଟିକୁ ମାଡ଼ ମାରି ଗୁରୁତର କରିଥିବା ଅସାମାଜିକ ପିଲାଙ୍କ ବୟସ ୮ରୁ ୧୪ ବର୍ଷ ଭିତରେ ।

ଏହି ଘଟଣା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଝିଅଟିର ମା’ । ସେ କହିଛନ୍ତି, ଆୟର୍ଲାଣ୍ଡରେ ଏପରି ଭେଦଭାବର ଶିକାର ହେବାକୁ ପଡ଼ିବ ବୋଲି ମୁଁ କଳ୍ପନା କରି ନଥିଲି । ଦୀର୍ଘ ଦିନ ଧରି ଏଠାକାର ଲୋକଙ୍କୁ ନିଷ୍ଠାର ସହିତ ସେବା କରିଆସୁଛି ।

ଇତି ମଧ୍ୟରେ ଆମେ ଆମର ନାଗରିକତା ବଦଳାଇଛୁ । ତଥାପି ଆମକୁ ସମ୍ମାନର ସହିତ ବଂଚିବାକୁ ଦିଆଯାଉନି ।

ଆମକୁ ଡାର୍ଟି କୁହାଯାଉଛି, ଆମ ପିଲାମାନେ ଏଠାରେ ନିରାପଦ ନାହାନ୍ତି । ଭାରତୀୟ ଦମ୍ପତିଙ୍କ ଅଭିଯୋଗକୁ ଆଧାର କରି ଆୟର୍ଲାଣ୍ଡ ପୁଲିସ ତଦନ୍ତ ଆରମ୍ଭ କରିଚି ।