ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସୁରକ୍ଷା ଦାୟିତ୍ୱରେ ପ୍ରଥମ ମହିଳା କମାଣ୍ଡୋ

ଦେଶର ପ୍ରଥମ ମହିଳା ଏସ୍‌ପିଜି କମାଣ୍ଡୋ । ନାଁ ତାଙ୍କର ଆଦାସୋ କାପେସା । ମଣିପୁର ନିବାସୀ କାପେସା ଆଜି ଦେଶର ନାରୀଶକ୍ତିର ଗର୍ବ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କଠାରୁ ମାତ୍ର କେଇ ପାହୁଣ୍ଡ ପଛରେ ଠିଆ ହୋଇ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖୁଥିବା ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୋଦିଜୀଙ୍କ ସହିତ କାପେସାଙ୍କର ଫଟୋ ଆଦୌ ସାମାନ୍ୟ ନୁହେଁ । ଏସ୍‌ପିଜି ପୋଷାକ ପରିହିତା କମାଣ୍ଡୋ କାପେସା ପ୍ରଥମେ ଇନ୍‌ସ୍ପେକ୍ଟର ଭାବେ ନିଯୁକ୍ତି ପାଇଥିଲେ ।

ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସ୍ୱତନ୍ତ୍ର ସୁରକ୍ଷା ବାହିନୀ (ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ) । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟରତ ଏସ୍‌ପିଜି କମାଣ୍ଡୋ କେବଳ ବଳରେ ନୁହେଁ, ବୁଦ୍ଧିରେ ମଧ୍ୟ ସମସ୍ତଙ୍କଠାରୁ ଆଗରେ ।

ସାଧାରଣ ପୁଲିସ ନୁହନ୍ତି ଏସ୍‌ପିଜି କମାଣ୍ଡୋ । ଶାରୀରିକ ଓ ମାନସିକ ସ୍ତରରେ ଦକ୍ଷତା ହାସଲ କରିବା ଜରୁରୀ । କାପେସା ମଣିପୁର ରାଜ୍ୟର ସିନେପାଟି ଜିଲ୍ଲାରେ ବସବାସ କରୁଥିବା ମାଓ ନାଗା ଆଦିବାସୀ ମହିଳା । ପାଠପଢ଼ା ସାରିବା ପରେ କାପେସା ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ରେ ଯୋଗଦାନ କଲେ । ସେଠାରୁ ଉତରାଖଣ୍ଡ ୫୫ତମ ବାଟାଲିୟନରେ ଯୋଗଦାନ କଲେ । ଦକ୍ଷତା ଯୋଗ୍ୟତା ଓ ଅଭିଜ୍ଞତା ବଳରେ ସେ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସୁରକ୍ଷା ଅଧିକାରୀ ।