ସତ୍ୟପାଲଙ୍କ ଚିଠି ଓ ବିକଶିତ ଭାରତ -୨

ଯୋଉ ସତ୍ୟପାଲଙ୍କୁ ମୁଣ୍ଡରେ ବସାଇଥିଲା ବିଜେପି, ସେହି ସତ୍ୟପାଲଙ୍କ ଉପରେ ଏପରି ଦାଉ ସାଧିଲା ବିଜେପି; କାରଣ କ’ଣ?

ମନେପକାନ୍ତୁ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-ଶ୍ରୀନଗର ରାଜପଥ ଉପରେ ଯାଉଥିବା ସିଆର୍‌ପିଏଫ୍ ଯବାନଙ୍କ ପଟୁଆରକୁ ଉଡାଇ ଦିଆଯାଇଥିଲା ଶକ୍ତିଶାଳୀ ବିସ୍ଫୋରକ ଡିଭାଇସ୍ ବଳରେ । ସାରା ଦୁନିଆର ଯୁବକ ଯୁବତୀଙ୍କ ପାଇଁ ଯୋଉଦିନଟି ଭାଲେଂଟାଇନ୍ ଡେ ପରିଚୟ ବହନ କରିଛି । ସେହିଦିନଟି ଭାରତ ପାଇଁ ଏକ କଳା ଦିବସ ପାଲଟିଗଲା ।

ଜୈସ-ଇ-ଆତଙ୍କୀ ସଂଗଠନର ଜଣେ ଆତ୍ମଘାତୀ ବିପୁଳ ପରିମାଣର ବିସ୍ଫୋରକ ଭର୍ତି କାରଟିକୁ ନେଇ ସିଆରପିଏଫ୍ ଯବାନଙ୍କ ପଟୁଆର ଭିତରକୁ ପଶିଗଲା । ଆଖି ପିଛୁଳାକେ ଜାତୀୟ ରାଜପଥଟି ଯବାନଙ୍କ ରକ୍ତରେ ଲାଲ ହୋଇଗଲା । ଯବାନଙ୍କର ଖଣ୍ଡ ବିଖଣ୍ଡିତ ଶରୀର ରାଜପଥ ଉପରେ ବିକ୍ଷିପ୍ତ ହୋଇ ପଡ଼ିଗଲା । ଶତାଧିକ ଯବାନ ଖଣ୍ଡିଆ ଖାବରା ହେଲେ । ପୁଲୱାମା ଆତଙ୍କୀ ହମ୍‌ଲାର ଚରମ ପ୍ରତିଶୋଧ ନିଆଯିବ ପ୍ରଚାର କରି ବିଜେପି ସେହି ବର୍ଷ ଲୋକସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ଲାଭ କଲା । ସର୍ବାଧିକ ୩୦୩ ଆସନରେ ବିଜୟ ହାସଲ କରିବା ପରେ ବିଜେପିର ଗର୍ବ ଓ ଅହଂକାରର ସୀମା ରହିଲାନି । ଜାତୀୟ ଗଣତାନ୍ତ୍ରିକ ମେଂଟର ସହଯୋଗୀ ରାଜନୈତିକ ଦଳର ବିଜୟୀ ସାଂସଦଙ୍କୁ ମାଛି, ଡାଆଁଶ ଭଳି ବ୍ୟବହାର ପ୍ରଦର୍ଶନ କଲା । ବିଜେପି ନିକଟରେ ୩୦୩ ସାଂସଦ ଥିବାରୁ ସହଯୋଗୀ ଦଳଗୁଡ଼ିକ ଲୋକସଭାରେ ପାଟିରେ ତୁଣ୍ଡି ବାନ୍ଧି ବସିବାକୁ ବାଧ୍ୟ ହେଲେ । କିଛି ସହଯୋଗୀ ଦଳ ବିଜେପିର କାର୍ଯ୍ୟଧାରାକୁ ନାପସନ୍ଦ କରୁଥିଲେ ମଧ୍ୟ ବିକଳ୍ପ ନଥିବାରୁ ନିରବ ରହିଲେ ।

ପୁଲୱାମା ଆତଙ୍କୀ ହମ୍‌ଲା ପାଇଁ ବିଜେପି ଦେଶବାସୀଙ୍କ ନିକଟରେ ଜୈସ-ଇ-ମହମ୍ମଦ ଆତଙ୍କୀ ସଂଗଠନକୁ ମୁଖ୍ୟ ଅପରାଧୀ ରୂପେ ସଜାଇ ଦେଲା । ମାତ୍ର ସତ୍ୟପାଲ ମଲିକ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦାୟୀ କରିଛନ୍ତି । ସତ୍ୟପାଲ ତାଙ୍କ ଚିଠିରେ ଲେଖିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ଅଜିତ ଡୋଭାଲଙ୍କ ନିକଟକୁ ଚିଠି ଲେଖିବା ସହିତ ଫୋନ୍ କରି ସଡ଼କ ପଥରେ ସେନା ଯବାନଙ୍କୁ ସ୍ଥାନାନ୍ତର କରିବା ଠିକ ହେବନି ବୋଲି ସାବଧାନ କରି ଦେଇଥିଲେ ।

ମାତ୍ର ତାଙ୍କ ପରାମର୍ଶ ପ୍ରତି କର୍ଣ୍ଣପାତ କଲେନି ପ୍ରଧାନମନ୍ତ୍ରୀ ମୋଦିଜୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ପରିଣାମ ସ୍ୱରୂପ ୪୦ ଜଣ ଯବାନ ସହିଦ ହୋଇଗଲେ । ଶତାଧିକ କ୍ଷତାକ୍ତ ହେଲେ ।

ଲୋକସଭା ନିର୍ବାଚନରେ ୪୦ ଜଣ ଯବାନଙ୍କୁ ବଳି ପକାଇ ୩୦୩ ଆସନ ଦଖଲ କରିବା ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅଜିତ ଡୋଭାଲଙ୍କର ଗୁପ୍ତ ଯୋଜନା ଥିଲା ।

ସତ୍ୟପାଲ ତାଙ୍କ ଚିଠିରେ ଆଉ ଗୋଟିଏ ବିଷୟ ଉଲ୍ଲେଖ କରିଛନ୍ତି, ତା’ ହେଉଛି ଦେବାଳିଆ ଶିଳ୍ପପତି ଅନୀଲ ଅମ୍ବାନୀ ଓ ସଂଘ ପରିବାର ନେତା ରାମ ମାଧବଙ୍କ ପକ୍ଷରୁ ସତ୍ୟପାଲଙ୍କୁ ୧୫୦ କୋଟି ଟଙ୍କା ଅଫର୍ ପ୍ରସଙ୍ଗ । ଅନୀଲ ଅମ୍ବାନୀ ଜମ୍ମୁ-କଶ୍ମୀରରେ ଗୋଟିଏ ବିରାଟ ବଜେଟର କମ୍ପାନୀ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ । ତାଙ୍କ ଫାଇଲଟିକୁ ଧରି ସଂଘ ପରିବାର ନେତା ରାମ ମାଧବ ସତ୍ୟପାଲଙ୍କ ନିକଟକୁ ଯାଇଥିଲେ । ସତ୍ୟପାଲ ସେତେବେଳେ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିଲେ । ତେଣୁ ଅନୀଲଙ୍କ ଫାଇଲରେ ଦସ୍ତଖତ କରିବା ପାଇଁ ରାମ ମାଧବ ସତ୍ୟପାଲଙ୍କୁ ୧୫୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ ।

ଫାଇଲଟିକୁ ପଢ଼ିବା ପରେ ରାଜ୍ୟପାଳ ସତ୍ୟପାଲ ସେଥିରେ ଦସ୍ତଖତ କରିବାକୁ ମନା କରିଦେଲେ ଯାହାକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରି ରାଗିଗଲେ ।

ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ଗୋଟିଏ ପ୍ରକଳ୍ପ ଫାଇଲରେ ଦସ୍ତଖତ କରିବା ପାଇଁ ସତ୍ୟପାଲଙ୍କୁ ୧୫୦ କୋଟି ଟଙ୍କା ଯଚା ଯାଇଥିଲା । ସତ୍ୟପାଲ ଜୟ ଶାହଙ୍କ ଫାଇଲରେ ମଧ୍ୟ ଦସ୍ତଖତ କଲେନି । ସତ୍ୟପାଲଙ୍କ ସଚ୍ଚୋଟ ପଣିଆ ବିଜେପିକୁ ଜମ୍ମୁ-କଶ୍ମୀର ଲୁଟିବାକୁ ସୁଯୋଗ ଦେଲାନି । ପରିଣାମ ସ୍ୱରୂପ ସତ୍ୟପାଲଙ୍କୁ ଜମ୍ମୁ-କଶ୍ମୀରରୁ ହଟାଇ ଦିଆଗଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଅଧ୍ୟାଦେଶ ବଳରେ କୃଷି ଓ କୃଷକଙ୍କ କଲ୍ୟାଣ ଦ୍ୱାହି ଦେଇ ଯୋଉ ତିନୋଟି କୃଷି ଆଇନ ଲାଗୁ କରିଥିଲେ । ସେହି ଆଇନକୁ ତୀବ୍ର ପ୍ରତିବାଦ କରୁଥିଲେ ସତ୍ୟପାଲ । ସତ୍ୟପାଲ କହିଥିଲେ, ମୋଦି ସରକାର ଯୋଉ ତିନୋଟି କୃଷି ଓ କୃଷକ ଆଇନ ଲାଗୁ କରିବାକୁ ବସିଛନ୍ତି, ତାକୁ ଦେଶବ୍ୟାପୀ ଲାଗୁ କଲେ, ଚାଷୀମାନଙ୍କ ଜମି ଧିରେ ଧିରେ ଶିଳ୍ପପତିଙ୍କ ମାଲିକାନାକୁ ଚାଲିଯିବ ।
ସତ୍ୟପାଲଙ୍କ ଚିଠିରୁ ବିଜେପିର ଦୋମୁହାଁ ନୀତି ସାମ୍ନାକୁ ଆସୁଛି । ବିଜେପି ଦେଶବାସୀଙ୍କ ଆଗରେ ନିଜକୁ ପକ୍କା ହିନ୍ଦୁ ପ୍ରଚାର କରୁଛି । ଗୋରୁଚାଲାଣ ଗାଡ଼ିକୁ ମାଡ଼ି ବସୁଛି । କିନ୍ତୁ ମୋଦିଙ୍କ ଅମଳରେ ଭାରତ ତୃତୀୟ ସର୍ବାଧିକ ଗୋମାଂସ ରପ୍ତାନୀକାରୀ ଦେଶ ଭାବେ ପରିଚୟ ଲାଭ କରିଛି ।

ପ୍ରଧାନମନ୍ତ୍ରୀ ମୋଦିଜୀ ସଭାମଂଚରେ ମାଇକ ଆଗରେ କହୁଛନ୍ତି, ନା ଖାଉଙ୍ଗା ନା ଖାନେ ଦୁଙ୍ଗା । କିନ୍ତୁ ସ୍ୱିଜରଲାଣ୍ଡ ବ୍ୟାଙ୍କ ରିପୋର୍ଟ କହୁଛି, ମୋଦିଜୀଙ୍କ ଅମଳରେ ସ୍ୱିଜରଲାଣ୍ଡ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ୨୩ ହଜାର କୋଟି ଟଙ୍କା ହୋଇଛି । ୨୦୨୨ ଫେବୃଆରୀ ସୁଦ୍ଧା ସ୍ୱିଜରଲାଣ୍ଡ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ୭ ହଜାର କୋଟି ଥିଲା । ମାତ୍ର ୨୦୨୩ ମାର୍ଚ୍ଚ ସୁଦ୍ଧା ଭାରତୀୟଙ୍କ କଳାଧନ ପରିମାଣ ୨୩ ହଜାର କୋଟି ଟଙ୍କା ।

ବିଦେଶରୁ କଳାଧନ ଆଣି ପ୍ରତି ଗରିବଙ୍କ ଆକାଉଂଟରେ ୧୫ ଲକ୍ଷ ଟଙ୍କା ଜମା କରିବା ଏକ ଜୁମ୍‌ଲା ଥିଲା ବୋଲି ୨୦୨୪ ଲୋକସଭା ନିର୍ବାଚନ ପରେ ଖୋଦ୍ ଅମିତ ଶାହ ସ୍ୱୀକାର କରିଛନ୍ତି । ମୋଦିଜୀଙ୍କ ବିକଶିତ ଭାରତ ଆହ୍ୱାନ ଏକ ଜୁମ୍‌ଲା ଧରା ନଯିବ କାହିଁକି?