ଗତ କିଛିଦିନ ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ନିର୍ବାଚନ କମିଶନଙ୍କ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ କେନ୍ଦ୍ର କରି ସାରାଦେଶର ଦୃଷ୍ଟି ଆକର୍ଷଣ କରୁଛନ୍ତି । ରାହୁଲଙ୍କ ଅଭିଯୋଗ ସଂପୂର୍ଣ୍ଣ ସତ୍ୟ ଆଧାରିତ ବୋଲି ଏକ ସତ୍ୟପାଠ ରାହୁଲଙ୍କ ନିକଟରୁ ଦାବି କରିଛନ୍ତି ନିର୍ବାଚନ କମିଶନ । ମାତ୍ର ରାହୁଲ କହିଛନ୍ତି, ‘ସତ୍ୟପାଠ ଦାଖଲ କରିବା ଦରକାର ନାହିଁ, ନିର୍ବାଚନ କମିଶନ ଆବଶ୍ୟକ ମନେକଲେ, ମୋ ମନ୍ତବ୍ୟକୁ ସତ୍ୟପାଠ ଭାବେ ଗ୍ରହଣ କରିପାରନ୍ତି ।’
ଏମିତି ଏକ ବିବାଦର ସତ୍ୟତା ଜାଣିବା ପାଇଁ ଏକ ଗଣମାଧ୍ୟମ ସଂସ୍ଥା ତା’ର ଅଭିଯାନ ଆରମ୍ଭ କରିଥିଲା । ରାହୁଲଙ୍କ ମୁହଁରୁ ବାରମ୍ବାର ଗୋଟିଏ ନାମ ବାହାରିଥିଲା, ‘ଆଦିତ୍ୟ ଶ୍ରୀବାସ୍ତବ’ ।
ରାହୁଲଙ୍କ ଅଭିଯୋଗ ହେଲା, ଆଦିତ୍ୟ ଶ୍ରୀବାସ୍ତବ ନାମକ ଜଣେ ଯୁବକଙ୍କ ନାମ ତିନୋଟି ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ୟୁପି ଭୋଟର ତାଲିକାରେ ରହିଛି । ଆଦିତ୍ୟଙ୍କ ଭୋଟର ଆଇକାର୍ଡ ହାତରେ ଧରି ରାହୁଲ ସାମ୍ବାଦିକମାନଙ୍କୁ ଦେଖାଇଥିଲେ ।
ଏକ ଲୋକପ୍ରିୟ ଗଣମାଧ୍ୟମ ଆଦିତ୍ୟଙ୍କ ସ୍ୱର୍ଗୀୟ ବାପା ଏସ୍ପି ଶ୍ରୀବାସ୍ତବଙ୍କ ଲକ୍ଷ୍ନୌସ୍ଥିତ ଇନ୍ଦିରା ନଗର ଘରକୁ ଯାଇଥିଲା । ସେଠାରେ ଆଦିତ୍ୟଙ୍କ ପରିବାରକୁ ପାଇଲାନି । ଆଦିତ୍ୟଙ୍କ ପଡୋଶୀ ଭାବେ ରହୁଥିଲେ ଲକ୍ଷିତ ଶ୍ରୀବାସ୍ତବ । ରିପୋର୍ଟର ଜଣକ ତାଙ୍କ ନିକଟକୁ ଯାଇ ଆଦିତ୍ୟଙ୍କ ପରିବାର ସଂପର୍କରେ ପଚାରିଲେ ।
ଲକ୍ଷିତଙ୍କ ସୂଚନା ମୁତାବକ ଘରଟି ଏବେ ମଧ୍ୟ ଆଦିତ୍ୟ ପରିବାରଙ୍କ ମାଲିକାନାରେ ରହିଛି । ପୁଅର ପାଠପଢ଼ା ଓ ବାପାଙ୍କ ଚାକିରି କାରଣରୁ ସେମାନଙ୍କ ପରିବାର ବହୁଦିନ ତଳୁ ଅନ୍ୟ ରାଜ୍ୟରେ ରହି ଆସୁଛନ୍ତି ।
ଲକ୍ଷିତଙ୍କ ମତରେ ଆଦିତ୍ୟଙ୍କ ପରିବାର ପ୍ରଥମେ ମହାରାଷ୍ଟ୍ରରେ ରହୁଥିଲେ । ପରେ ସେମାନେ କର୍ଣ୍ଣାଟକର ବେଙ୍ଗାଲୁରୁ ଚାଲିଗଲେ । ଆଦିତ୍ୟଙ୍କ ମା’ ବାପା ଅନେକ ସମୟରେ ଇନ୍ଦିରା ନଗର ଘରକୁ ଆସନ୍ତି, କିନ୍ତୁ ଆଦିତ୍ୟ କେବେ ଭୋଟ ଦେବା ପାଇଁ ଲକ୍ଷ୍ନୌକୁ ଆସିବାର ଲକ୍ଷିତ ଦେଖିବାକୁ ପାଇନାହାନ୍ତି ।
ଆଦିତ୍ୟଙ୍କ ପରିବାରକୁ କେବେ ଲକ୍ଷ୍ନୌରେ ରହୁଥିବାର ଦେଖିନାହାନ୍ତି ସଂପୃକ୍ତ ଅଂଚଳର ନିବାସୀ । ଆଦିତ୍ୟ ମୁମ୍ବାଇରେ ଏମ୍ଏ ପାସ କରିବା ପରେ ବେଙ୍ଗାଲୁରୁକୁ ଚାଲିଯାଇଛି । ବିଗତ କିଛିମାସ ତଳେ ଆଦିତ୍ୟଙ୍କ ପରିବାର ଲକ୍ଷ୍ନୌ ଆସିଥିଲେ । ନିକଟରେ ଆଦିତ୍ୟଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଛି ।