ଶୃଙ୍ଖଳିତ ସମାଜ ଗଠନର ମାଧ୍ୟମ କୃଷ୍ଣଭକ୍ତି

ଦ୍ବିତୀୟ ବାର୍ଷିକ ଜିଲ୍ଲା ସ୍ତରୀୟ ନନ୍ଦଉତ୍ସବ ଉଦଯାପିତ

ହରିବଂଶ ଉପାସକ ଓ ସଂକୀର୍ତ୍ତନ ପ୍ରତିଭା ସମ୍ୱର୍ଦ୍ଧିତ

ଝୁମ୍ପୁରା : କୃଷ୍ଣଭକ୍ତି କୁ ବ୍ରତ ଭାବେ ଗ୍ରହଣ କରିବା ସହିତ ଭଗବାନ ଶ୍ରୀକୃଷ୍ଣ ଙ୍କ ମହତ୍ ଗୁଣ ଗୁଡ଼ିକ ଅନୁକରଣ ଓ ଅନୁପାଳନ କଲେ ସମାଜରେ ଶୃଙ୍ଖଳା ଓ ସଂସ୍କାର ବୃଦ୍ଧିହେବ। କୃଷ୍ଣଲୀଳା ବା ତାଙ୍କର ଜୀବନୀ ଚରିତ୍ର ଗାନ କରୁଥିବା ସଂକୀର୍ତ୍ତନ ଏହାର ସର୍ବୋତ୍ତମ ମାଧ୍ୟମ।

କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘଏ ଦିଗରେ ମହତ୍ ପ୍ରୟାସ ଜାରିରଖିଥିବାରୁ ଉଦ୍ୟକ୍ତା ଏବଂ କାର୍ଯ୍ୟକର୍ତ୍ତା ମାନେ ପ୍ରଶଂସାର ପାତ୍ର। ଶନିବାର ଯୋଡ଼ା ବ୍ଳକ,ଦବୁନା ଗ୍ରାମରେ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ବାର୍ଷିକ ଜିଲ୍ଲା ସ୍ତରୀୟ ନନ୍ଦ ଉତ୍ସବ ଓ ଶ୍ରୀକୃଷ୍ଣ କଥାମୃତ ସମାରୋହ କାର୍ଯ୍ୟକ୍ରମ ଅବସରରେ ଏଭଳି କିଛି ବ୍ୟକ୍ତବ୍ୟ ରଖି ନିଷ୍କାମ ପ୍ରେମ ଭାବନାରେ ଭଗବାନ ଙ୍କୁ ଆରାଧନା କରିବାକୁ ଉପସ୍ଥିତ ଜନତାଙ୍କୁ ଆହ୍ବାନ କରିଥିଲେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା। ଶ୍ରୀକୃଷ୍ଣଙ୍କ ଜୀବନୀ ଚରିତ୍ର ମାନବ ସମାଜର ମଙ୍ଗଳ ସାଧନ କରୁଛି ବୋଲି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ପିଏସ କଲେଜ ର ଓଡ଼ିଆ ଅଧ୍ୟାପକ ପ୍ରଫେସର ଡ.ମନୋରଞ୍ଜନ କର ତାଙ୍କର ଅଭିଭାଷଣ ଛଳରେ ପ୍ରକାଶ କରିଥିଲେ।

କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ସମ୍ପାଦକ ନିର୍ମଳ ଚନ୍ଦ୍ର ବାରିକଙ୍କ ସଂଯୋଜନାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା,ବଣେଇ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦର ସଭାପତି ତଥା ସଙ୍କୀର୍ତ୍ତନ ନୃତ୍ୟଗୁରୁ ଦଶରଥ ସାହୁ, ସଙ୍କୀର୍ତ୍ତନ ନୃତ୍ୟଗୁରୁ ଖିରେଶ୍ୱର ବିଶ୍ଵାଳ, ହାଇଗ୍ରେଡ ମିନେରାଲ୍ସ କମ୍ପାନୀର ନିର୍ଦ୍ଦେଶକ ଗଣେଶ ଶର୍ମା,ସ୍ଥାନୀୟ ସମାଜସେବୀ ବଳଭଦ୍ର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯକ୍ରମରେ ୫୦ ରୁ ଅଧିକ କୃଷ୍ଣଲୀଳା ଦଳର ପ୍ରତିନିଧି ମଣ୍ଡଳୀ ଓ କଳାକାର ଯୋଗଦାନ କରିଥିଲେ। ପ୍ରଥମେ ରାସ ମଣ୍ଡପରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନ କରାଯାଇଥିଲା। ଏହାପରେ ଝୁମ୍ପୁରା ବ୍ଲକ, କଟୁପାଲି ଗ୍ରାମରୁ ରାସ ସଂକୀର୍ତ୍ତନ ମାଧ୍ୟମରେ ବିରାଟ ଶୋଭାଯାତ୍ରାରେ ଠାକୁରଙ୍କୁ ଦବୁନା ରାସ ମଣ୍ଡପକୁ ନିଆଯାଇଥିଲା। ଦବୁନା, ରେଙ୍ଗାଳବେଡା,ନମ୍ବିରା, ଧଳାଡ଼ିହ, ଉପରକାଦକଳା,ପଳସା ଆଦି କୃଷ୍ଣଲୀଳା ଲୋକନୃତ୍ୟ ଦଳ ରାସ ସଙ୍କୀର୍ତ୍ତନ ନୃତ୍ୟ ପରିବେଷଣ କରିଥିଲେ। ବିଭିନ୍ନ ଗ୍ରାମର କଳାକାରମାନେ ରାଧା,କୃଷ୍ଣ, ନନ୍ଦ,ଯଶୋଦା ବେଶରେ ଅଂଶ ଗ୍ରହଣ କରି ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।

ଶହ ଶହ କୃଷ୍ଣ ପ୍ରେମୀଙ୍କ ମେଳରେ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମ ସହିତ ସାମୁହିକ ପ୍ରସାଦ ସେବନ ହୋଇଥିଲା। ସନ୍ଧ୍ୟାରେ ସଂଘର ସଭାପତି ବ୍ରହ୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଶ୍ରୀକୃଷ୍ଣ କଥାମୃତ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ପିଢୀ ପରେ ପିଢୀ ହରିବଂଶ ପୋଥି ଉପାସନା କରି ଆସୁଥିବା ୧୪ ଜଣ ପୋଥି ଉପାସକ ଏବଂ ପ୍ରଧାମନ୍ତ୍ରୀଙ୍କର ୧୨୪ ତମ ମନକି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସିତ ହୋଇଥିବା ସଂକୀର୍ତ୍ତନ କଳାକାର ପ୍ରମିଳା ପ୍ରଧାନ ଙ୍କ ସାହି କୃଷ୍ଣଲୀଳା କଳାକାର ମାନଙ୍କୁ ସଙ୍ଘ ପକ୍ଷରୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ କେନ୍ଦୁଝର ଜିଲ୍ଲାର କୃଷ୍ଣଲୀଳା କଳାକାର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟ ଅତିଥି ତଥା ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଲୀଳା ଲୋକନୃତ୍ୟ ସଂଘର ଉପଦେଷ୍ଟା ଅଖିଳ ଚନ୍ଦ୍ର ବାରିକ, ହିରଣ୍ୟ ବେହେରା,ଦବୁନା ଗ୍ରାମ ମୁଖ୍ୟ କବି ଆପଟ, ସମାଜସେବୀ ପଦ୍ମ ମୁଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୋଣ ଅନୁକୋଣରୁ ଶହ ଶହ ସଂଖ୍ୟାରେ କୃଷ୍ଣ ଭକ୍ତ,ଶ୍ରଦ୍ଧାଳୁ ଏବଂ କଳାକାର ଯୋଗ ଦେଇଥିଲେ। କୃଷ୍ଣଲୀଳା ଲୋକ ନୃତ୍ୟ ସଙ୍ଘର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଦବୁନା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।