ବିକଶିତ ଭାରତର କଳଙ୍କିତ ଟୀକା ଭାବେ ଏବେ ମଧ୍ୟ ଆମ ସମାଜକୁ ସଂକ୍ରମଣ କରୁଛି ଯୌତୁକ ବ୍ୟାଧି । ଉଚ୍ଚଶିକ୍ଷିତ ଯୁବକ ପ୍ରବୀଣ ବେଙ୍ଗାଲୁରୁର ଏକ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ, ବିବାହ ପରେ ଚାକିରି ଛାଡ଼ି ପାଣିପୁରୀ ବିକା ଆରମ୍ଭ କଲେ ।
ଗୁରୁବାର ଦିନ ପ୍ରବୀଣଙ୍କୁ ଗିରଫ କରିଛି ପୁଲିସ । ତାଙ୍କ ଶାଶୁ ଥାନାରେ ପହଂଚି ଅଭିଯୋଗ କରିଛନ୍ତି ଯେ ପ୍ରବୀଣ ତାଙ୍କର ପତ୍ନୀ ଶିଳ୍ପାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ୫ ଲକ୍ଷ ଟଙ୍କା ପାଇବା ଆଶାରେ ।
ସ୍ୱାମୀଙ୍କ ନିର୍ଯାତନାକୁ ନିୟମିତ ସହି ପାରିଲେନି ଗର୍ଭବତୀ ଶିଳ୍ପା । ଆତ୍ମହତ୍ୟା କଲେ । ଶିଳ୍ପା ମଧ୍ୟ ଜଣେ ସଫ୍ଟୱେର ଇଂଜିନିୟର ଥିଲେ । ବିବାହ ପରେ ସ୍ୱାମୀଙ୍କ କଥାରେ ଚାକିରି ଛାଡ଼ି ଦେଇଥିଲେ ।
୨୦୨୨ ଡିସେମ୍ବର ମାସରେ ପ୍ରବୀଣଙ୍କୁ ବିବାହ କରିଥିଲେ ଶିଳ୍ପା । ବିବାହରେ ପ୍ରାୟ ୩୫ ଲକ୍ଷ ଟଙ୍କା କରିଥିଲେ ଶିଳ୍ପାଙ୍କ ପରିବାର । ପ୍ରବୀଣଙ୍କୁ ପ୍ରାୟ ୧୫୦ ଗ୍ରାମ ସୁନାଗହଣା ଦେଇଥିଲେ ।
ଏକ ବ୍ୟବସାୟ ପାଇଁ ପ୍ରବୀଣଙ୍କୁ ୫ ଲକ୍ଷ ଟଙ୍କା ଦରକାର ପଡ଼ିଲା । ପ୍ରବୀଣ ଶିଳ୍ପାଙ୍କ ଉପରେ ଚାପ ପକାଇ ଶଶୁର ଘରୁ ଟଙ୍କା ପାଇବାକୁ ଚାହୁଁଥିଲେ । ଶିଳ୍ପାଙ୍କୁ ଛାଡ଼ପତ୍ର ଦେବା ପାଇଁ ପ୍ରବୀଣଙ୍କ ମା’ ଅନେକ ସମୟରେ ପୁଅକୁ କହୁଥିଲେ ବୋଲି ପୁଲିସ ଆଗରେ କହିଛନ୍ତି ଶିଳ୍ପାଙ୍କ ମା’ ।
ଗତ ମଙ୍ଗଳବାର ଦିନ ଶିଳ୍ପାଙ୍କ ପ୍ରାଣହୀନ ଶରୀର ଶେଯ ଉପରେ ଶୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୁଲିସ ଅଭିଯୁକ୍ତ ପ୍ରବୀଣଙ୍କୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛି ।