ସାର୍ଟିଫିକେଟ୍ ନେଇ ଲୋକମାନେ କରିବେ କ’ଣ ?

‘ମୋ ସାର୍ଟିଫିକେଟ୍ ନେଇ ଲୋକମାନେ କରିବେ କ’ଣ? ଏମିତି ଏକ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ହୋଇଛି । ସେଇଆ କରୁଛି । ମୋ ସାର୍ଟିଫିକେଟ୍ ନେଇ ସେମାନେ କ’ଣ ଆଚାର କରିବେ ।

ମଳିମୁଣ୍ଡିଆ ନାଗରିକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ଦରକାର ନାହିଁ । ତାଙ୍କୁ ଦରକାର ମାଗଣା ଚାଉଳ । ମାଗଣା ଗହମ । ସବ୍ସିଡ଼ି ଟଙ୍କା । ବାର୍ଦ୍ଧକ୍ୟ ଭତା । ଭିନ୍ନକ୍ଷମ ଭତା । ୟେ ହେଉଛି ବିଜେପି ପାଠ ।

ଅଯୋନି ସମ୍ଭୁତ ନରେନ୍ଦ୍ର ମୋଦୀ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବାର ଅଧିକାର ୟେ ଦେଶର ନାଗରିକଙ୍କ ମୌଳିକ ଅଧିକାର ପରିସରଭୁକ୍ତ ନୁହେଁ । ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଏବେ ପାଣ୍ଡୋରା ବକ୍ସ ହୋଇଯାଇଛି । ତାକୁ ଉଜାଗର କଲେ ୧୪୩ କୋଟି ଜନତାଙ୍କ ପାଦତଳୁ ମାଟି ଖସିଯିବ ।

ଅବତାର ପୁରୁଷ ନରେନ୍ଦ୍ର ମୋଦୀ । ତାଙ୍କର ଶିକ୍ଷାଗତ ପ୍ରମାଣପତ୍ର ଦେଖିବାକୁ ଜିଦ କଲେ ମହାପ୍ରଭୁ ଜଗନ୍ନାଥ ରାଗି ଯାଇପାରନ୍ତି । କ’ଣ ପାଇଁ? ସେ ପ୍ରଶ୍ନ ପଚାରିବାର ଦୁଃସାହସ କାହାକୁ ଦିଆଯାଇନି? ଆପଣ ଏତିକି ଜାଣନ୍ତୁ, ବିଚାରପତି ରକ୍ତମାଂସ ହାଡ଼ଧାରୀ ଉଚ୍ଚଶିକ୍ଷିତ ମଣିଷ । ମଣିଷ ପରିସ୍ଥିତିର ଦାସ ।

ଘଟଣା କ୍ରମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ସାର୍ବଜନୀନ କରିବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ । ଯଦିଓ ହାଇକୋର୍ଟଙ୍କ ରାୟକୁ ଖୋଲାଖୋଲି ସମାଲୋଚନା କରିବାର ସାହସ କାହାର ନାହିଁ । କିନ୍ତୁ ତାକୁ କେନ୍ଦ୍ର କରି ବିଭିନ୍ନ ସ୍ତରରେ ଆଲୋଚନା ଆରମ୍ଭ ହୋଇଯାଇଛି ।

ଜାଲ ଶିକ୍ଷାଗତ, ଅଭିଜ୍ଞତା, ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗରେ ଜଣେ ସରକାରୀ ପଦାଧିକାରୀଙ୍କ ପ୍ରତି ଦଣ୍ଡ ବିଧାନ କରାଯାଇପାରିବ । କିନ୍ତୁ ପ୍ରଧାନମନ୍ତ୍ରୀ ପଦବୀ ଓ କ୍ଷମତାକୁ ଉପଭୋଗ କରୁଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇପାରିବନି ।