ପରଲୋକରେ ଅଭିନେତା ଅଲୁ ଅର୍ଜୁନଙ୍କ ଜେଜେ ମା’ କନକରତ୍ନମ

ଅଭିନେତା ଅଲୁ ଅର୍ଜୁନଙ୍କ ଜେଜେ ମା’ କନକରତ୍ନମ ଆଉ ନାହାନ୍ତି । ଶୋକସାଗରରେ ଭାସୁଛି ତେଲୁଗୁ ଚଳଚ୍ଚିତ୍ର ଦୁନିଆ ।

ବର୍ଷୀୟାନ ଅଭିନେତା ଓ ପଦ୍ମଶ୍ରୀ ବିଜେତା ଅଲୁ ରାମଲିଙ୍ଗାୟାଙ୍କ ପତ୍ନୀ କନକରତ୍ନମଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା ।

କନକରତ୍ନମ୍ ହାଇଦ୍ରାବାଦର ଜୁବୁଲି ହିଲ୍ସରେ ନାତି ଅଲୁ ଅର୍ଜୁନଙ୍କ ସହିତ ରହୁଥିଲେ । ସ୍ୱଭାବରେ କନକରତ୍ନମ ବେଶ ମେଳାପୀ ଥିଲେ । ତାଙ୍କ ପୁଅ ଅଲୁ ଅରବିନ୍ଦ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଓ ଅଲୁ ଅର୍ଜୁନଙ୍କ ବାପା । ପୁଅବୋହୁ, ଝିଅଜ୍ୱାଇଁ, ନାତିନାତୁଣୀ, ଅଣନାତି ଅଣନାତୁଣୀ ସହିତ କନକରତ୍ନମ୍ ବେଶ ହସଖୁସିରେ ରହୁଥିଲେ ।

ଲୋକପ୍ରିୟ ଅଭିନେତା ତଥା ରାଜନେତା ଚିରଂଜୀବୀ ହେଉଛନ୍ତି କନକରତ୍ନମଙ୍କ ଜାମାତା । ଚଳଚ୍ଚିତ୍ର ଦୁନିଆର ବହୁ ଜଣାଶୁଣା ଅଭିନେତା ଅଭିନେତ୍ରୀ ପ୍ରଯୋଜକ, ନିର୍ଦ୍ଦେଶକ ଅଲୁ ଅର୍ଜୁନଙ୍କ ବାସଭବନକୁ ଯାଇ କନକରତ୍ନମଙ୍କର ଅନ୍ତିମ ଦର୍ଶନ କରୁଛନ୍ତି ।

ରବିବାର ଅପରାହ୍ଣରେ କୋକପେଟ ନିକଟରେ କନକରତ୍ନମଙ୍କର ଅନ୍ତିମ ସଂସ୍କାର କରାଯିବ ।

ଅର୍ଜୁନ ସୁଟିଂ କାମରେ ମୁମ୍ବାଇ ଯାଇଥିଲେ, ଜେଜେ ମା’ଙ୍କ ମୃତ୍ୟୁ ଖବର ପାଇବା କ୍ଷଣି ସେ ହାଇଦ୍ରାବାଦ ଫେରି ଆସିଥିଲେ । କନକରତ୍ନମଙ୍କ ନାତି ତଥା ଅଭିନେତା ରାମଚରଣ ସୁଟିଂ ଅଧାରୁ ହାଇଦ୍ରାବାଦ ଫେରିଛନ୍ତି । ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା ଲିଝନେଭା ଅର୍ଜୁନଙ୍କ ଘରକୁ ଆସି ମା’ଙ୍କ ଦର୍ଶନ କରିଛନ୍ତି ।