କୋଉଟା ବୁଦ୍ଧିମାନ କାମ: ଘର ପାଇଁ ଋଣ କରିବା ନା ଭଡ଼ା ଘରେ ରହିବା
ଘର ଟିଏ ତିଆରି କରି ରହିବା ଓ ଘରଟିଏ ଭଡ଼ା ସୂତ୍ରରେ ନେଇ ରହିବା । ଏ ଦୁଇଟି ଭିତରୁ କୋଉଟା ବୁଦ୍ଧିମାନର କାମ । ଭଲ ଭାବରେ ଭାବନ୍ତୁ ଚିନ୍ତା କରନ୍ତୁ, ଜଣେ ଚାର୍ଟାର୍ଡ ଆକାଉଟାଂଟଙ୍କ ଜବାବ ପଢ଼ନ୍ତୁ ।
କଥାରେ ଅଛି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା କହୁଛି, ‘ମୋ ଦିନକାଳ ଆସୁଚି’ । ଭାରତରେ ମଧ୍ୟମ ଆୟ ବର୍ଗର ଲୋକଙ୍କ ହାଲତ ଭାରି ଦୟନୀୟ ।
ଗରିବ ଲୋକଙ୍କ ପାଇଁ ମାଗଣା ଶସ୍ୟ ଯୋଗାଣ, ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଚାଷୀଙ୍କୁ ଅନୁଦାନ ଭଳି ବହୁ ସରକାରୀ ଯୋଜନା ରହିଛି ।
ଧନୀ ବର୍ଗର ଲୋକଙ୍କ ଉପରେ ସରକାରଙ୍କ କୃପାଦୃଷ୍ଟି କାମ କରୁଛି । ଧନୀ ଲୋକଙ୍କ ହାତକୁ ଜମି ଜଳ ଜଙ୍ଗଲ ଖଣିଖାଦାନ ଟେକି ଦିଆଯାଉଛି । କିନ୍ତୁ ମଧ୍ୟମ ବର୍ଗର ଲୋକଙ୍କ ପାଇଁ କୌଣସି ସରକାରୀ ଯୋଜନା ନାହିଁ ।
ସରକାରଙ୍କ ପ୍ରତିଟି ଯୋଜନାର ପ୍ରତିକୂଳ ପ୍ରଭାବ ମଧ୍ୟମ ବର୍ଗର ଲୋକମାନଙ୍କ ଉପରେ ପଡୁଛି ।
ଚାର୍ଟାର୍ଡ ଆକାଉଟାଂଟ ନୀତୀନ କୌଶିକ କହନ୍ତି, ଭଡ଼ାସୂତ୍ରରେ ଘରଟିଏ ନେଇ ବସବାସ କରିବା ସବୁଠାରୁ ଭଲ । ଏହି ମନ୍ତବ୍ୟଟିକୁ ଶତକଡ଼ା ଶହେ ପ୍ରମାଣ କରିବାକୁ ଯାଇ କୌଶିକ କହନ୍ତି, ଘରଟିଏ କିଣିବା ପାଇଁ ଆପଣଙ୍କୁ ଏକ କୋଟି ଟଙ୍କା ଦରକାର ଅଛି ।
ଆପଣ ବ୍ୟାଙ୍କ ନିକଟରୁ ବାର୍ଷିକ ୯% ସୁଧ ହାରରେ ୨୦ ବର୍ଷ ପାଇଁ ୮୦ ଲକ୍ଷ ଟଙ୍କା ଋଣ ସୂତ୍ରରେ ଆଣିଲେ ଆପଣଙ୍କୁ ମାସିକ କିସ୍ତି ଆକାରରେ ପ୍ରାୟ ୭୨ ହଜାର ଟଙ୍କା ଗଣିବାକୁ ପଡ଼ିବ ।
୨୦ ବର୍ଷରେ ଶେଷରେ ହିସାବ କଲାବେଳକୁ ଆପଣ ବ୍ୟାଙ୍କକୁ ଏକ କୋଟି ଟଙ୍କା ବଦଳରେ ୧ କୋଟି ୭୩ ଲକ୍ଷ ଟଙ୍କା ପରିଶୋଧ କରି ସାରିଥିବେ ।
୮୦ ଲକ୍ଷ ଟଙ୍କା କରଜ କରି ସୁଧ ବାବଦକୁ ବ୍ୟାଙ୍କକୁ ୯୩ ଲକ୍ଷ ଟଙ୍କା ଗଣିଦେବା କୋଉ ବୁଦ୍ଧିମାନର କାମ?