କ୍ରିକେଟ୍ ଦୁନିଆରେ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ଏନ୍ ଶ୍ରୀନିବାସନ୍ । ଚେନ୍ନାଇ ସୁପର କିଙ୍ଗ୍ ସ କ୍ରିକେଟ୍ ଲିମିଟେଡ୍ ( ସିଏସ୍ କେସିଏଲ୍ ) କମ୍ପାନୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀନିବାସନ୍ ।
ଆଇପିଏଲ୍ ସଂସ୍କରଣରେ ୫ ଥର ଚାମ୍ପିଅନ୍ ଆଖ୍ୟା ବଜାୟ ରଖିଥିବା କମ୍ପାନୀର ଗୁରୁଦ୍ୱାୟିତ୍ୱ ଗ୍ରହଣ କରି ଶ୍ରୀନିବାସନ୍ ବେଶ ଉତ୍ସାହିତ ଅଛନ୍ତି ।
ସୂଚନା ମୁତାବକ ଚଳିତ ବର୍ଷ ଫେବୃଆରୀରେ ଶ୍ରୀନିବାସନ୍ ଓ ତାଙ୍କ ସୁପୁତ୍ରୀ ରୂପା ଗୁରୁନାଥ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ ସରେ ଯୋଗଦାନ କରିଥିଲେ ।
ଇତି ମଧ୍ୟରେ ରୂପା କମ୍ପାନୀର ସ୍ଥାୟୀ ନିଦେ୍ର୍ଦଶକ ପଦବୀ ହାସଲ କରିଛନ୍ତି । ଶ୍ରୀନିବାସନଙ୍କ ପୂର୍ବରୁ କମ୍ପାନୀର ଅଧ୍ୟକ୍ଷ ଥିଲେ ଆର୍ ଶ୍ରୀନିବାସନ୍ । ଏନ୍ ଶ୍ରୀନିବାସନ୍ ଓ ଆର୍ ଶ୍ରୀନିବାସନ୍ ଦୁହେଁ ସଂପର୍କୀୟ ଭାଇ ହେବେ ।
ଚେନ୍ନାଇ ସୁପର କିଙ୍ଗ୍ ସ ପ୍ରତିଷ୍ଠାତା ଇଣ୍ଡିଆ ସିମେଂଟ୍ସ ମାଲିକାନା ଏବେ ଅଲଟ୍ରାଟେକ୍ ସିମେଂଟ ହାତକୁ ଚାଲିଯାଇଚି । ଚେନ୍ନାଇ ସୁପର କିଙ୍ଗ୍ ସ ଗଠନ ପଛରେ ଏନ୍ ଶ୍ରୀନିବାସନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
୨୦୦୮ ମସିହାରେ ଶ୍ରୀନିବାସନଙ୍କ ମସ୍ତିଷ୍କରୁ ଜନ୍ମ ନେଇଥିଲା ଚେନ୍ନାଇ ସୁପର୍ କିଙ୍ଗ୍ ସ । ତେବେ କମ୍ପାନୀ ପ୍ରତିଷ୍ଠା ହେବା ଦିନଠାରୁ ଶ୍ରୀନିବାସନ୍ ଔପଚାରିକ ଭାବେ କୌଣସି ପଦବୀ ଗ୍ରହଣ କରି ନଥିଲେ ।
୨୦୧୩ ମସିହାରେ ସ୍ପଟ୍ ଫିକ୍ ସିଂ ଦୁର୍ନୀତିରେ ଫସିବା ପରେ ଶ୍ରୀନିବାସନ୍ ବିସିସିଆଇ ଅଧ୍ୟକ୍ଷ ପଦବୀରୁ ବିଦା ହୋଇଥିଲେ ।
ଶ୍ରୀନିବାସନ୍ ୨୦୧୫ ମସିହାରେ ଆଇସିସି ଅଧ୍ୟକ୍ଷ ହେବାପରେ ତାଙ୍କ ମନୋନୀତ କମିଟି ୨୦୧୫ ପର୍ଯ୍ୟନ୍ତ ବିସିସିଆଇ ପରିଚାଳନା କରି ଆସୁଥିଲେ ।