‘କାଦୁଅ ଫିଙ୍ଗା ରାଜନୀତି’ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦୀ, ଅନ୍ୟକୁ ଦୋଷ ଦେଇ ଲାଭ ନାହିଁ
‘କାଦୁଅ ଫିଙ୍ଗା ରାଜନୀତି’ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦୀ, ଅନ୍ୟକୁ ଦୋଷ ଦେଇ ଲାଭ ନାହିଁ, ବିହାର ବିରୋଧୀ ଶିବିରରୁ ଏମିତି କଥା ଶୁଣିବାକୁ ମିଳିଛି ।
‘କୌଣସି ପରିସ୍ଥିତିରେ କୌଣସି ମା’ଙ୍କୁ ଅପମାନ କରିବା ଭାରତୀୟ ସଂସ୍କୃତିର ପରିଭାଷା ନୁହେଁ । ଏ କଥାଟି ପ୍ରତ୍ୟେକ ଭାରତୀୟ ଭଲ ଭାବରେ ଜାଣନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି କଥାଟି ବୁଝିଲା ବେଳକୁ ଡେରି ହୋଇଗଲାଣି ।’
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ଶୁଣିବା ପରେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏପରି କିଛି ମଧୁର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ରାହୁଲ ଗାନ୍ଧୀଙ୍କ ‘ଭୋଟରଙ୍କ ଅଧିକାର ଅଭିଯାନ’ ବିହାରର ଦରଭଙ୍ଗା ଅଂଚଳ ଦେଇ ଗତି କରୁଥିବା ସମୟରେ କଂଗ୍ରେସ ପକ୍ଷରୁ ଆୟୋଜିତ ସଭା ମଂଚ ଉପରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମା’ଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଏବେ ଦେଶରେ ହଇଚଇ ସୃଷ୍ଟି କରିଛି ।
ଯାଦବ କହିଛନ୍ତି, ଭାରତୀୟ ସଂସ୍କୃତିରେ ମା’ଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ବାପା ମା’ଙ୍କଠାରୁ ଶ୍ରେଷ୍ଠ ହୋଇପାରିବନି । ଆମ ସଂସ୍କୃତି ସବୁବେଳେ ବଡ଼ମାନଙ୍କୁ ସମ୍ମାନ ଦେବାକୁ ଉପଦେଶ ଦେଇଛି ।
ଏତିକି କହିବା ପରେ ଯାଦବ ଆଉ ଡେରି ନକରି ସିଧା ମୋଦୀଙ୍କ ଶିଷ୍ଟାଚାର ପ୍ରତି କଟାକ୍ଷ ଆରମ୍ଭ କରିଦେଲେ । ଯାଦବ କହିଲେ, ମୋଦିଜୀ ଅତୀତରେ ମାତୃଜାତି ପ୍ରତି ପ୍ରୟୋଗ କରିଥିବା ମନ୍ତବ୍ୟକୁ ଥରେ ମନେ ପକାନ୍ତୁ । ମୋଦିଜୀ ଅତୀତରେ ସୋନିଆ ଗାନ୍ଧୀଙ୍କୁ ‘କଂଗ୍ରେସର ବିଧବା’, ‘ଜର୍ସି ଗାଈ’ ଭଳି ଶବ୍ଦ ପ୍ରୟୋଗ କରିଛନ୍ତି । ରାହୁଳ ଗାନ୍ଧୀଙ୍କୁ ‘ହାଇବ୍ରିଡ୍ ବାଛୁରୀ’ କହିଛନ୍ତି ।
ସୋନିଆ ଗାନ୍ଧୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ପୂର୍ବରୁ ଆପଣଙ୍କ ବିବେକ ଆପଣଙ୍କୁ ବାଧା ଦେଲାନି । ଏବେ କେହି ଜଣେ ଆପଣଙ୍କ ମା’ଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବାରୁ ଆପଣଙ୍କ ଅନ୍ତରାତ୍ମାରେ ମା’, ଭଉଣୀ ଓ ଝିଅଙ୍କ ପ୍ରତି ସମ୍ମାନବୋଧ ଜାଗ୍ରତ ହୋଇଗଲା ।