ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେବ ‘ଧାଡ଼ି ଦର୍ଶନ’

ପୁରୀ ଶ୍ରୀମନ୍ଦିର ନବଗଠିତ ପରିଚାଳନା କମିଟିର ପ୍ରଥମ ବୈଠକରେ ‘ଧାଡ଼ି ଦର୍ଶନ’ ନିଷ୍ପତି ଗ୍ରହଣ କରାଯାଇଛି । ବିଶେଷ କରି ନାଟ ମଣ୍ଡପରେ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ଉତର ଦ୍ୱାର ଖୋଲାଯିବ ।

ଶ୍ରୀମନ୍ଦିରର ପ୍ରତିଟି କାର୍ଯ୍ୟକୁ ସଠିକ ଭାବେ ପରିଚାଳନା କରିବା ପାଇଁ ପ୍ରାୟ ୧୪ଟି ଉପ କମିଟି ଗଠନ କରାଯିବ । ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସବୁ ବିଷୟ ଜଣାଇଥିଲେ ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଥମ ଥର ପାଇଁ ଏକ ଉପ କମିଟି ଗଠନ କରାଯାଇଛି । ଗିରିଶ ମୁର୍ମୁଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଜିଲ୍ଲା କଲେକ୍ଟର, ପୁଲିସ ଅଧିକ୍ଷକ ଓ କିଛି ସେବାୟତଙ୍କୁ କମିଟିରେ ସ୍ଥାନ ଦିଆଯାଇଛି ।

ସବୁ କମିଟିର ସଭ୍ୟମାନଙ୍କୁ ପରିଚାଳନା କମିଟିରେ ସ୍ଥାନ ଦିଆଯାଇଛି । ଜିଲ୍ଲା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପେନସନ୍ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି ।