ଆତଙ୍କୀ ଜାଲରେ ପଡ଼ିଯାଇଛନ୍ତି ଜଣେ ଜ୍ୟୋତିଷ । ଦିନକ ତଳେ ମୁମ୍ବାଇ ପୁଲିସ ନିକଟକୁ ଏକ ଧମକଭରା ମେସେଜ୍ ଆସିଥିଲା ।
ଗଣେଶ ଭସାଣ ଓ ଅନନ୍ତ ଚତୁର୍ଦ୍ଦଶୀ ଭିଡ଼ର ଫାଇଦା ଉଠାଇବା ଚକ୍କରରେ ପାକ୍ ଆତଙ୍କୀ ସଂଗଠନଟିଏ ମୁମ୍ବାଇ ମହାନଗରୀରେ ବଡ଼ ଧରଣର ଧମାକା କରିବ ବୋଲି ମେସେଜରେ ଉଲ୍ଲେଖ କରାଯାଇଥିଲା ।
ପୁଲିସ ମେସେଜ ପଠାଇଥିବା ଲୋକଟିକୁ ଠାବ କରିବାକୁ ଯାଇ ୟୁପିର ନୋଇଡ଼ା ଅଂଚଳରୁ ଜଣେ ୫୧ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି ।
ଲୋକଟିର ନାଁ ଅଶ୍ୱିନୀ କୁମାର । ଅଭିଯୁକ୍ତ ଅଶ୍ୱିନୀ ପେଶାରେ ଜଣେ ଜ୍ୟୋତିଷ ଓ ବାସ୍ତୁବିଦ୍ । ତାଙ୍କର ଭିଟାମାଟି ବିହାରର ପାଟଳିପୁତ୍ର ଇଲାକାରେ । ଗତ ୫ ବର୍ଷ ଧରି ଅଶ୍ୱିନୀ ନୋଇଡ଼ା ଅଂଚଳରେ ରହୁଛନ୍ତି ।
ଅଶ୍ୱିନୀଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ମା’ ପ୍ରଭାବତୀ ଜଣେ ଗୃହିଣୀ । ଅଶ୍ୱିନୀଙ୍କ ପତ୍ନୀ ଅର୍ଚ୍ଚନା ସ୍ୱାମୀଙ୍କ ନିକଟରୁ ଦୂରେଇ ଯାଇଛନ୍ତି । ଅର୍ଥ ତୋଷରପାତ ଅଭିଯୋଗରେ ଅଶ୍ୱିନୀ ପୂର୍ବରୁ ତିନିମାସ ପାଇଁ ଜେଲ ଯାଇଥିଲେ ।
ସୂଚନା ମୁତାବକ, ଅଶ୍ୱିନୀଙ୍କୁ ଜେଲ ପଠାଇଥିଲା ଫିରୋଜ । ଏକଦା ଫିରୋଜ ଅଶ୍ୱିନୀର ସାଙ୍ଗ ଥିଲା । ଅଶ୍ୱିନୀ ଫିରୋଜ ନିକଟରୁ ଟଙ୍କା ଉଧାଇ ନେଇ ଫେରାଉ ନଥିଲା । ତାକୁ କେନ୍ଦ୍ର କରି ଫିରୋଜ ଥାନାରେ ଅଭିଯୋଗ କରିଥିଲେ ।
ସେହି ଘଟଣାର ପ୍ରତିଶୋଧ ନେବା ପାଇଁ ଅଶ୍ୱିନୀ ଫିରୋଜ ନାମରେ ମୁମ୍ବାଇ ପୁଲିସ ନିକଟକୁ ମେସେଜ ପଠାଇଥିଲା । ଫିରୋଜକୁ ଆତଙ୍କୀ ହମଲା ମାମଲାରେ ଜେଲ ପଠାଇବାକୁ ଷଡ଼ଯନ୍ତ୍ର କରୁଥିଲା ଅଶ୍ୱିନୀ । ମାତ୍ର ତା’ର ଉଦ୍ୟମ ଫସର ଫାଟିଥିଲା ।