ଶକ୍ତିପୀଠ ମା’ ତାରାତାରିଣୀ: କାନରେ ଡାକ ପଡ଼ିବା ମାତ୍ରେ ‘ଓ’ କରନ୍ତି

ଶକ୍ତିପୀଠ ମା’ ତାରାତାରିଣୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଶାସ୍ତ୍ରାନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମା’ ତାରାତାରିଣୀ ନିଦ୍ରା ଯାଇଥାନ୍ତି ।

ଇନ୍ଦୁ ପୂର୍ଣ୍ଣମୀ ଦିନ ମା’ କଡ଼ ଲେଉଟାଇଥାନ୍ତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ମୂଳାଷ୍ଟମୀ ଦିନ ଦେବୀଙ୍କର ନିଦ୍ରା ଭଙ୍ଗ ହୁଏ । ମା’ଙ୍କ ଚଳନ୍ତି ପ୍ରତିମାକୁ ସ୍ନାନବେଦୀକୁ ନିଆଯାଏ ।

ସେବାୟତ ପରିବାରର ମହିଳାମାନେ ଋଷିକୁଲ୍ୟା ନଦୀରୁ ଆଣିଥିବା ୧୦୮ କଳସୀ ଜଳରେ ଦେବୀଙ୍କର ସ୍ନାନ କର୍ମ ସମ୍ପାଦିତ ହୁଏ ।

ତା’ପରେ ଆରମ୍ଭ ହୁଏ ମା’ଙ୍କର ଷୋଡ଼ଶ ଉପଚାର ପୂଜାର୍ଚ୍ଚନା । ସକାଳୁ ସକାଳୁ ଚଣ୍ଡୀପାଠ, ବଳିଭୋଗ, ବାଳଧୂପ ଭୋଗ, ମଧ୍ୟାହ୍ନ ଭୋଗ, ରାତ୍ର ଭୋଗ ଓ ବଡ଼ ସିଂହାର ଭୋଗ ଅର୍ପଣ କରାଯାଏ ।

ଦୈନିକ ଦୁଇଥର ଚଣ୍ଡୀପାଠ ଓ ଘୃତଯଜ୍ଞ କରାଯାଏ । ମା’ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ମହାଷ୍ଟମୀରେ ମହାକାଳୀ ବେଶ ଦେଖିବାକୁ ଅସୁମାରି ଭିଡ଼ ହୁଏ ।

ମା’ ତାରାତାରିଣୀ ପୀଠର ମାହାତ୍ମ୍ୟ ହେଉଛି, ଏହି ପୀଠରେ ମା’ ସତୀଙ୍କର ସ୍ତନଯୁଗଳ ପଡ଼ିଥିଲା । ଦକ୍ଷ ପ୍ରଜାପତିଙ୍କ ଯଜ୍ଞପୀଠରେ ଅପମାନିତ ହୋଇ ଦେବୀ ସତୀ ଯଜ୍ଞକୁଣ୍ଡକୁ ଡେଇଁ ପଡ଼ିଲେ ।

ଦେବାଧିଦେବ ମହାଦେବ ସତୀଙ୍କ ଅଧାପୋଡ଼ା ଶରୀରକୁ ଧରି ତାଣ୍ଡବ ନୃତ୍ୟ କଲେ । ସୃଷ୍ଟିକୁ ରକ୍ଷା କରିବା ପାଇଁ ପ୍ରଭୁ ନାରାୟଣ ସୁଦର୍ଶନ ଚକ୍ର ସହାୟତାରେ ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ ।

ଦେବୀଙ୍କ ଦେହାବଶେଷ ମର୍ତ୍ତ୍ୟରେ ଯୋଉଠି ପଡ଼ିଲା, ସେ ସ୍ଥାନରେ ଦେବୀପୀଠ ଗଢ଼ି ଉଠିଲା ।

ଗଂଜାମର ରତ୍ନଗିରି ପାହାଡ଼ ଉପରେ ଦେବୀଙ୍କର ସ୍ତନଯୁଗଳ ଯୋଉଠି ପଡ଼ିଥିଲା, ସେହି ସ୍ଥାନରେ ଗଢ଼ି ଉଠିଛି ମା’ ତାରାତାରିଣୀଙ୍କ ମନ୍ଦିର ।

ରତ୍ନଗିରି ପାହାଡ଼ ଶୀର୍ଷରୁ ମା’ ତାରାତାରିଣୀ ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି । ଭକ୍ତର ମନସ୍କାମନା ପୂରଣ କରନ୍ତି ।