ଏଣିକି ହ୍ଵାଟ୍ସଆପ୍ରେ ଗୋଟିଏ କ୍ଲିକ୍ରେ ୧୩୨ଟି ସରକାରୀ ସେବା ମିଳିବ । ଦୌଡ଼ିବାକୁ ପଡ଼ିବନି ସରକାରୀ ଅଫିସ୍ । ଗୋଟିଏ କ୍ଲିକ୍ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅପଡେଟ୍ ମିଳିବ । ଜନ୍ମ ପ୍ରମାଣପତ୍ର ହେଉ କି ଆୟ ପ୍ରମାଣପତ୍ର ଆଉ ସରକାରୀ ଅଫିସ୍କୁ ଯିବାକୁ ପଡ଼ିବନି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି “ଆମ ସାଥି” ଚାଟବଟ୍ ଏବଂ ସେଣ୍ଟ୍ରାଲ୍ ମନିଟରିଂ ସିଷ୍ଟମ୍ ୨.୦ । ଏଥିପାଇଁ “ଆମ ସାଥି” ହ୍ଵାଟ୍ସଆପ୍ ଚାଟ ବଟ ନମ୍ବର 9437292000ରେ ମେସେଜ ଦେଲେ ୧୩୨ଟି ସେବା ଉପଲବ୍ଧ । ଏହାକୁ ମୁଖ୍ୟ ଶାସନ ସଚିବ ଲୋକାର୍ପଣ କରିଛନ୍ତି ।
ଏହି ଚାଟ ବଟରେ ଆବେଦନ କରିଥିବା ସେବାର ସ୍ଥିତି ସହ କେବେ ପ୍ରମାଣପତ୍ର ମିଳିବ ତାହା ଜାଣିପାରିବେ । ନିର୍ଦ୍ଧାରିତ ସମୟ ସୀମା ଭିତରେ ସେବା ନ ମିଳିଲେ ଆବେଦନକାରୀ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ପାରିବେ ସରକାର ।
ଏହି ହ୍ଵାଟ୍ସଆପ ଚାଟ ବଟରେ କୌଣସି ସେବା ପାଇଁ ଜଣେ ଆବେଦନର ସ୍ଥିତି କଣ, କେଉଁଠି ଅଟକିଛି ତାହା ମଧ୍ୟ ଜାଣିପାରିବେ, ବିଳମ୍ବ ହେଉଥିଲେ ତାର କାରଣ ମଧ୍ୟ ଜାଣିପାରିବେ ।
ଆବେଦନ ପାଇଁ ଆବଶ୍ୟକ ଫି’ ମଧ୍ୟ ସେହି ଚାଟ ବଟ୍ ମାଧ୍ୟମରେ ଦାଖଲ କରି ହେବ । ଏହି ସେବା ୭ ଦିନ ୨୪ ଘଣ୍ଟା ଉପଲବ୍ଧ ହେବ । ଆବେଦନ ସହ ତାର ସ୍ଥିତି ଏବଂ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ସମସ୍ତ ନୋଟିଫିକେସନ୍ ଗୋଟିଏ ସ୍ଥାନରେ ମିଳିବ । କୌଣସି ଆବେଦନ ଅଧାରୁ ହ୍ଵାଟ୍ସଆପ୍ ଚାଟକୁ କାଟିଦେଲେ ପୁଣି ଥରେ ପ୍ରଥମରୁ ଆବେଦନ କରିବାକୁ ପଡ଼ିବ ।
ମିଳିବ କେଉଁ କେଉଁ ସେବା ?
ହ୍ଵାଟ୍ସଆପ ଚାଟ ବଟ ଜରିଆରେ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ମିଳୁଥିବା ସେବା, ଇନକମ ସାର୍ଟିଫିକେଟ, ଜାତିଗତ ପ୍ରମାଣପତ୍ର, ବାସ ସ୍ଥାନ ପ୍ରମାଣପତ୍ର, ଜମି କିଣାବିକା ବାବଦ ସମସ୍ତ ସେବା ସହ ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ,, ଫର୍ଟିଲାଇଜର ଲାଇସେନ୍ସ, ଆଦି ମିଳିବ ।
ଏହି ଚାଟ ବଟରେ ଓଡ଼ିଆରେ ଜଣେ ମେସେଜ କରି ଆବେଦନ କରିପାରିବେ ।