ଏବେ କମିଗଲା ବର୍ଷା
ଆଗକୁ କିନ୍ତୁ ଭୟଙ୍କର ବର୍ଷିବ
ଜଳମଗ୍ନ ହେବ ସାରା ଓଡ଼ିଶା
କମିଛି ଲଘୁଚାପର ପ୍ରକୋପ । ଦଶହରାରେ ଭାସେଇବା ପରେ କମିଛି ପ୍ରକୋପ । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି ଅବପାତ । ହେଲେ ଆଗକୁ ପୁଣି ଆସୁଛି ଲଘୁଚାପ । ଯାହାର ପ୍ରଭାବରେ ସାରା ଓଡ଼ିଶା ଜଳମଗ୍ନ ହେବାର ରହିଛି ସମ୍ଭାବନା ।
ତେବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିବା ଅବପାତ ଶନିବାର ଅତିକ୍ରମ କରିଛି ଉତ୍ତର-ପଶ୍ଚିମ ଓଡ଼ଶା । ଏହା ଛତିଶଗଡ଼ ଆଡ଼କୁ ଗତି କରିଛି। ଧୀରେ ଧୀରେ ଦୁର୍ବଳ ହେବା ସହ ଲଘୁଚାପରେ ହୋଇଛି ପରିଣତ । ଯାହାର ପ୍ରଭାବରେ ରାଜ୍ୟରେ ରବିବାର ଯାଏ ରହିଛି ଅଳ୍ପ ବହୁତ ବର୍ଷା । ବିଶେଷ କରି ନବରଙ୍ଗପୁର ଓ ନୂଆପଡ଼ାର କିଛି କିଛି ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା । ଏନେଇ କହୁଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ତେବେ ଗୁରୁବାରଠାରୁ ଲାଗିରହିଥିବା ବର୍ଷା ପ୍ରଭାବରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ବ୍ୟାପକ କ୍ଷୟକ୍ଷତି । ମୂଷଳଧାରାରେ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ, ହାତୀ ସମେତ ଅଞ୍ଚଳର ସମସ୍ତ ନଦୀ ଫୁଲିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ଭାଙ୍ଗି ଯାଇଛି ଅନେକ ଲୋକଙ୍କ ଘର । ବହୁ ଲୋକଙ୍କ ଘରକୁ ପାଣି ପଶିଥିବାରୁ ଖାଦ୍ୟ ସାମଗ୍ରୀ ସହ ଅନ୍ୟ ଜିନିଷପତ୍ର ଭିଜି ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଉଛି।
ସେହିପରି ଲଘୁଚାପ ପ୍ରଭାବରେ ଗଜପତିରେ ମଧ୍ୟ ହୋଇଛି ବାଦଲଫଟା ବର୍ଷା । ଯାହା ଜିଲ୍ଲାରେ ଘଟାଇଛି ବଡ଼ ବିପର୍ଯ୍ୟୟ। ତିନିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଚାରିଟି ବ୍ଲକ୍ରେ ଭୂସ୍ଖଳନ ସହିତ ପାହାଡ଼ ଧସିଛି । ପାହାଡ଼ରୁ ପ୍ରବଳ ପାଣି ସୁଅ ଆସି ଅନେକ ଅଞ୍ଚଳରେ ଚାଷବାସ, ଗୃହପାଳିତ ପଶୁଙ୍କୁ ଭାସାଇଦେଇଚି ।
ଏବେ ବର୍ଷା ସାମାନ୍ୟ କମିଥିବା ବେଳେ ଆଗକୁ ଆସୁଛି ଆଉ ଦୁଇ ଲଘୁଚାପ । ଯାହାର ପ୍ରଭାବରେ ପୁଣି ବଢିପାରେ ବର୍ଷା । 12 ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ 16 ତାରିଖରେ ମଧ୍ୟ ଆସିପାରେ ଆଉ ଏକ ଲଘୁଚାପ ।।ଯାହାର ପ୍ରଭାବରେ ସାରା ଓଡ଼ିଶାରେ ଦେଖା ଦେବ ବର୍ଷା ବିତ୍ପାତ । ଅନେକ ନଦୀ ଫୁଲିବା ସହ ଆସିପାରେ ଭୟଙ୍କର ବନ୍ୟା । ଯାହା ଆଣିବା ବିପତ୍ତି ଓ ସଙ୍କଟ ।