ଦେହସୁହା ହୋଇଯିବ ଓଡ଼ିଶା ଜେଲରୁ କୈଦୀ ଚମ୍ପଟ

ଦେହସୁହା ହୋଇଯିବ ଓଡ଼ିଶା ଜେଲରୁ କୈଦୀ ଚମ୍ପଟ ଘଟଣା । କେତେ ସୁଦୃଢ଼ ରାଜ୍ୟର ପ୍ରତ୍ୟେକ ଜେଲ । କେତେ ଅଭେଦ୍ୟ ଥିଲା ଚୌଦ୍ୱାର ଜେଲ? ଦୁଇଜଣ ବିଚାରାଧୀନ କୈଦୀ ଚମ୍ପଟ ମାରି ତାହା ପ୍ରମାଣିତ କରିଛନ୍ତି ।

କେତେ ସଜାଗ ସତର୍କ ସଶକ୍ତ ଆମ ପୁଲିସ ପ୍ରଶାସନ?

ଟଙ୍କା ବଳରେ ପୁଲିସ ଚାକିରି କିଣିଥିବା ଯୁବକଙ୍କ ଦକ୍ଷତା ଓ ଯୋଗ୍ୟତା ଧରା ପଡ଼ିଯାଇଛି ।

ବିଜେପି ଅମଳରେ କୈଦୀଙ୍କୁ ଜେଲ ପାଚେରୀ ଅତିକ୍ରମ କରି ପଳାୟନ କରିବାର ଅଫର୍ ବାସ୍ତବିକ ଏକ ଐତିହାସିକ ପଦକ୍ଷେପ ।

ବିଜେଡି ଅମଳରେ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା କୈଦୀଙ୍କ ସଂଖ୍ୟା କେତେ? ତା’ର ହିସାବ ରାଜ୍ୟ ଗୃହ ବ୍ୟାପାର ବିଭାଗ ନିକଟରେ ନିଶ୍ଚିତ ଥିବ ।

ଚମ୍ପଟ ମାରିଥିବା ଦୁଇଜଣ ଅପରାଧିଙ୍କୁ ପୁଲିସ ପ୍ରଶାସନର ସହାୟତା ମିଳିଥିବା ଆଶଙ୍କା କରାଯାଉଛି । ଚୌଦ୍ୱାର ଜେଲରେ କାର୍ଯ୍ୟରତ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବିନା ସହଯୋଗରେ କୈଦୀ ଚମ୍ପଟ ମାରିବା ଅସମ୍ଭବ ।

ଅଭିଯୁକ୍ତ ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କ ବିହାର ଠିକଣା ରାଜ୍ୟ ପୁଲିସ ନିକଟରେ ମହଜୁଦ ଥିବ । ଉଭୟ ହତ୍ୟା ଅଭିଯୁକ୍ତଙ୍କ ଫଟୋକୁ ଗଣମାଧ୍ୟମରେ ପ୍ରକାଶନ କରି ଧରିବାର ଉଦ୍ୟମ ଜୋରଦାର ହୋଇଛି ।

ଚୌଦ୍ୱାର ଜେଲ ସୁରକ୍ଷା ବ୍ୟବସ୍ଥା ଯାଜପୁରସ୍ଥିତ ରଗଡ଼ି ଜେଲ ତୁଳନାରେ ଅଧିକ ସୁଦୃଢ଼ ବୋଲି ଯାହା ପ୍ରଚାର କରାଯାଉଛି, ତା’ର ସତ୍ୟତା ଜଣାପଡ଼ିଛି ।

ଜେଲ ଭିତରେ ଦୁଇଟି ସ୍ୱତନ୍ତ୍ର କକ୍ଷରୁ ସମସ୍ତଙ୍କ ଅଲକ୍ଷ୍ୟରେ ବାହାରିବା, ଜେଲ ପାଚେରୀ ନିକଟକୁ ଯିବା, କମ୍ବଳ, ବିଛଣା ଚଦର ଓ ପ୍ୟାଂଟ୍ ବଳରେ ପାଚେରୀ ଶୀର୍ଷ ପର୍ଯ୍ୟନ୍ତ ଚଢ଼ିବାର ରାସ୍ତା ତିଆରି କରିବା, ମଉକା ଦେଖି ଚମ୍ପଟ ମାରିବା କାମଟା ଦିନେ କି ଦୁଇଦିନର କାମ ନୁହେଁ ।

ଅପରାଧିଙ୍କ ପଳାୟନ ମାମଲାରେ ୱାର୍ଡର ସିଦ୍ଧାନ୍ତ ସାହୁ ଓ ମୁଖ୍ୟ ୱାର୍ଡର ଭଗତ ରାମଙ୍କୁ ନିଲମ୍ବନ କରାଯାଇଛି । ଏହି ଦୁଇଜଣଙ୍କୁ ନିଲମ୍ବନ କରିଦେଲେ ପୁଲିସ ପ୍ରଶାସନ ମୁଣ୍ଡରୁ କଳଙ୍କ ହଟିଯିବନି ।

ରାଜ୍ୟର ଜେଲଗୁଡ଼ିକ କୈଦୀଙ୍କୁ ଧରି ରଖିବାରେ କେତେ ସକ୍ଷମ?

ତାକୁ ସମୟ ସମୟରେ ଯାଂଚ୍ କରିବା କାମଟା ଜେଲ ଡିଜି ସୁଶାନ୍ତ କୁମାର ନାଥଙ୍କର ନୁହେଁ କି? ଡିଜି ସୁଶାନ୍ତ ନାଥ ମହୋଦୟ ପ୍ରତି ମାସରେ କେତୋଟି ଜେଲକୁ ଯାଆନ୍ତି?

କେତୋଟି ଜେଲର ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରନ୍ତି? ତା’ର ରିପୋର୍ଟ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ନିକଟରେ ଅଛି?

‘ଯାହା ଚାଲିଛି, ଠିକ ଚାଲିଛି, ଯାହା ଘଟୁଛି, ଠିକ ଘଟୁଛି । ସବୁ ଈଶ୍ୱରଙ୍କ ଇଛାରେ ଛାଡ଼ି ଚୁପଚାପ୍ ବସିଯିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପକ୍ଷରେ କେତେ ଠିକ, ଆପଣମାନେ ବିଚାର କରନ୍ତୁ ।’