ଭାରତର ସଂବିଧାନ ସହିତ ଖେଳି ପାରିବନି ଆମ ସେନାବାହିନୀ

ଭାରତର ସଂବିଧାନ ସହିତ ଖେଳିବାର ଅଧିକାର ଆମ ସେନାବାହିନୀକୁ ଦିଆଯାଇନି । ସେ ଅଧିକାର ଆମ ସଂସଦକୁ ମଣ୍ଡନ କରିଥିବା ସଭ୍ୟମାନଙ୍କୁ ଦିଆଯାଇଛି ।

ଭାରତୀୟ ସେନାବାହିନୀର ପରାକ୍ରମ ଭାରତର ପ୍ରତ୍ୟେକ ଜନତାଙ୍କୁ ଭଲ ଭାବରେ ଜଣା । ‘ଅପରେସନ୍ ସିନ୍ଦୁର’ ସଫଳତା ବିଫଳତା ପାଇଁ ଭାରତର କୌଣସି ଜନତା କୌଣସି ପରିସ୍ଥିତିରେ ଭାରତୀୟ ସେନାବାହିନୀକୁ ଦାୟୀ କରିନାହାନ୍ତି କି ଦାୟୀ କରିବେନି ।

‘ଅପରେସନ ସିନ୍ଦୁର’ ସମୟରେ ଭାରତୀୟ ସେନାବାହିନୀ ପାକିସ୍ତାନର କେତୋଟି ବିମାନକୁ କୋଉଠି କିଭଳି ଭାବେ ଖସାଇଲା? ସେ ସଂପର୍କରେ ଗଣମାଧ୍ୟମ ନିକଟରେ ଟିକିନିଖି ସୂଚନା ପ୍ରଦାନ କରିବାର ଆବଶ୍ୟକତା ନଥିଲା ।

ଭାରତର କୌଣସି ମଳିମୁଣ୍ଡିଆ ଜନତାଙ୍କର ମସ୍ତିଷ୍କ ଏତେ ଜଟିଳ ନୁହେଁ ଯେ ଭାରତୀୟ ସେନାବାହିନୀ କାମରେ ମୁଣ୍ଡ ପୁରାଇବ । ପାକିସ୍ତାନକୁ କଡ଼ା ଚେତାବନୀ ଦେବା ଅବସରରେ ଭାରତୀୟ ସେନା ମୁଖ୍ୟ ଭାରତୀୟ ସେନାବାହିନୀର ଗୁଣଗରିମା ବଖାଣିବା ଦରକାର ନଥିଲା ।

ପାକିସ୍ତାନକୁ ତାଗିଦ କରି ଭାରତୀୟ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ ତୁଣ୍ଡ ସିଲାଇ କରି ଦେଇଥିଲେ ଭଲ ହୋଇଥାନ୍ତା । କିନ୍ତୁ ୟେ କ’ଣ କଲେ ଭାରତୀୟ ସେନାଧ୍ୟକ୍ଷ? ‘ଅପରେସନ୍ ସିନ୍ଦୁର’ ଭଳି ଏକ ବିରୁଡ଼ି ବସାରେ ହାତ ମାରିଦେଲେ?

ଏବେ ବିରୁଡି ଦଂଶନକୁ ମୁକାବିଲା କରନ୍ତୁ ଭାରତୀୟ ସେନାଧ୍ୟକ୍ଷ । ପ୍ରଥମ ଦଂଶନ, ଅପରେସନ୍ ସିନ୍ଦୁର’ ଗରିମା ବଖାଣିବା କାମଟା ଏତେ ବିଳମ୍ବରେ କରିବାର କାରଣ?

ଦ୍ୱିତୀୟ ଦଂଶନ, ଭାରତ-ପାକ୍ ଅଘୋଷିତ ଯୁଦ୍ଧ ବନ୍ଦ ପଛରେ ପାକିସ୍ତାନ ସେନାର ବାରମ୍ବାର ଅନୁରୋଧ ନଥିଲା, ୟେ କଥାଟି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଗୁଆ ଟ୍ୱିଟ୍ ପ୍ରମାଣିତ କରୁଛି ।

ଭାରତୀୟ ସେନାଧ୍ୟକ୍ଷଙ୍କ ଯୁଦ୍ଧ ବିରତି କୈଫିୟତ ସତ ହୋଇଥିଲେ, ପାକିସ୍ତାନ ସେନା ମେ’ ୧୦ ତାରିଖ ଦିନ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଭାରତ ଆଡକୁ ରକେଟ୍ ମାଡ଼ କରି ନଥାନ୍ତା । ବରଂ ଆତ୍ମସମର୍ପଣ ମୁଦ୍ରାରେ ଠିଆ ହୋଇ ଭାରତୀୟ ସେନାକୁ ଅନୁରୋଧ କରିଥାନ୍ତା ।

ପେହେଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ପାଇଁ ଅକାରଣରେ ଭାରତୀୟ ସେନାବାହିନୀକୁ ବ୍ୟବହାର କରିବା ପଛରେ କ୍ଷମତାସୀନ ମେଂଟ ଦାୟୀ ।

ପୃଥିବୀ ମାନଚିତ୍ରରୁ ପାକିସ୍ତାନର ଅସ୍ତିତ୍ୱକୁ ଲିଭାଇବାର କ୍ଷମତା ଭାରତୀୟ ସେନାବାହିନୀ ନିକଟରେ ରହିଛି ।

କିନ୍ତୁ ଆମ ସରକାର ଯଦି ଆମେରିକା ସରକାରଙ୍କ ନିକଟରେ ଭାରତର ସାର୍ବଭୌମତ୍ୱକୁ ବନ୍ଧା ପକାଇ ଦିଅନ୍ତି, ସେ କ୍ଷେତ୍ରରେ କ’ଣ କରିପାରିବ ଭାରତୀୟ ସେନବାହିନୀ?