ଜଣାପଡ଼ିଲା ଭାରତୀୟ ଔଷଧ କମ୍ପାନୀଙ୍କର କଳଙ୍କିତ କାରନାମା

ଜଣାପଡ଼ିଲା ଭାରତୀୟ ଔଷଧ କମ୍ପାନୀଙ୍କର କଳଙ୍କିତ କାରନାମା । ଭାତହାଣ୍ଡିରୁ ଗୋଟିଏ ଭାତ ଚିପି ଭାରତ ସରକାର ଭାରତୀୟ ଔଷଧ କମ୍ପାନୀରେ ତିଆରି କରାଯାଉଥିବା ଔଷଧଗୁଡ଼ିକର ଗୁଣାତ୍ମକ ମାନ ଓ ରୋଗ ନିବାରଣ କ୍ଷମତା ଜାଣି ପାରିଛନ୍ତି ।

ନରେନ୍ଦ୍ର ମୋଦି ସରକାରଙ୍କ ଅଭୟ ଆଶୀର୍ବାଦ ବଳରେ ଭାରତୀୟ ଔଷଧ କମ୍ପାନୀ ଦେଶର ୧୪୫ କୋଟି ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି ।

ଲୋକପ୍ରିୟତା ହରାଇବା ଭୟରେ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରକୃତ ସତକୁ ଲୁଚାଉଛନ୍ତି । ବିଜେପି ଶାସିତ ମଧ୍ୟପ୍ରଦେଶ ଓ ରାଜସ୍ଥାନର ଶିଶୁମାନେ ସୁରକ୍ଷିତ ନୁହନ୍ତି ।

ବିଶେଷ କରି ୨ ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁମାନଙ୍କୁ କୌଣସି ପ୍ରକାର ତରଳ ଔଷଧ ଦିଆଯିବନି ।

ପ୍ରାଥମିକ ପର୍ଯ୍ୟାୟରେ ଶିଶୁଙ୍କୁ ଥଣ୍ଡାକାଶ ନିବାରଣକାରୀ ସିରପ୍ ଦେବାକୁ ବାରଣ କରାଯାଇଛି । ଆଗାମୀ ଦିନରେ ଆହୁରି କିଛି ତରଳ ଔଷଧ ପ୍ରତି ସରକାରୀ କଟକଣା ପ୍ରୟୋଗ କରାଯାଇପାରେ ।

ଥଣ୍ଡାକାଶ ଦାଉରୁ ରକ୍ଷା ପାଇବା ପାଇଁ ଭାରତୀୟ ଔଷଧ କଂପାନୀରୁ ବଜାରକୁ ଛଡ଼ା ଯାଉଥିବା ଔଷଧଗୁଡ଼ିକ ମଣିଷ ସମାଜ ପାଇଁ କେତେ ଉପକାରୀ? ତାହା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ପିଇ ୧୧ ଜଣ ଶିଶୁ ପ୍ରାଣ ହରାଇବା ମାମଲାରୁ ଜଣାପଡ଼େ ।

ସୂଚନା ମୁତାବକ ମଧ୍ୟପ୍ରଦେଶ ଛିନ୍ଦୱାଡ଼ାରେ ୯ ଜଣ ଶିଶୁ ପ୍ରାଣ ହରାଇଥିଲା ବେଳେ ରାଜସ୍ଥାନର ଭରତପୁର ଓ ସିକରରେ ଜଣେ ଲେଖାଁଏ ଶିଶୁ ପ୍ରାଣ ହରାଇଛନ୍ତି ।

ବିନା କାରଣରେ ଆମେରିକା ପ୍ରଶାସନ ଭାରତୀୟ କମ୍ପାନୀ ମୁଣ୍ଡରେ ଅପିମିଶ୍ରିତ ଔଷଧ ନିର୍ମାଣ କରୁଥିବା ଅଭିଯୋଗ ଲଦୁନି ।

ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ମାଗଣା ଔଷଧ ଯୋଜନା ଅଧୀନରେ ବିତରଣ କରାଯାଇଥିବା ନିମ୍ନମାନର କଫ୍ ସିରପ ଖାଇବା କାରଣରୁ ଦୁଇଜଣ ଶିଶୁ ପ୍ରାଣ ହରାଇଥିଲେ ।

ଏକାଧିକ ଶିଶୁ ଅସୁସ୍ଥ ମାମଲାକୁ ଗମ୍ଭୀରତାର ସହିତ ଗ୍ରହଣ କରି ସରକାରୀ ଡ୍ରଗ୍ସ ନିୟନ୍ତ୍ରକ ରାଜାରାମ ଶର୍ମାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

କଫ୍ ସିରପରେ ମାତ୍ରାଧିକ ଡାଇଥାଇଲିନ୍ ଗ୍ଲାଇକୋଲ ଥିବା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସରକାର କୋଲଡ୍ରିଫ୍ ବିତରଣ ବନ୍ଦ କରିଛନ୍ତି ।

ଏହି ବିଷାକ୍ତ ରାସାୟନିକ ଦ୍ରବ୍ୟ ମଣିଷର ଯକୃତ ଓ କିଡନୀ ପ୍ରତି ବିପଦ ସୃଷ୍ଟି କରିପାରେ । ତାମିଲନାଡୁର ସେସ୍ରାନ୍ ଫାର୍ମାସୁ୍ୟଟିକାଲ ପକ୍ଷରୁ କୋଲଡ୍ରିଫ୍ ତିଆରି କରାଯାଉଥିଲା ।

ଓଡ଼ିଶା ସରକାରଙ୍କ ସହିତ ଅନୁବନ୍ଧିତ ଔଷଧ କମ୍ପାନୀ ପକ୍ଷରୁ ନିମ୍ନମାନର ଔଷଧ ଯୋଗାଣ ମାମଲାର ଖୋଳତାଡ଼ ଜରୁରୀ ।