ମୋହନ ଚରଣ ମାଝିଙ୍କ ଜାଣତରେ ରାଜ୍ୟରେ ଚାକିରି କେଳେଙ୍କାରୀ ଚାଲିଛି । ଚାକିରି କିଣାବିକା କାରବାରଟା ଡବଲ୍ ଇଂଜିନ ସରକାରରେ ଟିକେ ଅଧିକା ।
ଅଭିଯୋଗଟା ବାଧିଲା ? ଜମାରୁ ନୁହେଁ । ମୁଖ୍ୟମନ୍ତ୍ରୀ ପଦ ଓ କ୍ଷମତା ଉପଭୋଗ କରିବାକୁ ହେଲେ ବହୁ ଗରଳ ପିଇବାକୁ ପଡ଼େ, ବହୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମାଳା କରି ଗଳାରେ ଧାରଣ କରିବାକୁ ପଡ଼େ ।
ତେଣୁ ଆମ ଅଭିଯୋଗଟା ମୋହନ ଚରଣ ମାଝିଙ୍କୁ ବଡ଼ କଷ୍ଟ ଦେଇପାରେ । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଆଦୌ କଷ୍ଟ ଦେବନି ।
ଓଡ଼ିଶା ସରକାରଙ୍କୁ ୨୦୩୬ ମସିହା ପର୍ଯ୍ୟନ୍ତ ଜାବୁଡ଼ି ଧରିବାକୁ ହେଲେ ରାଜ୍ୟ ବିଜେପି ପାଣ୍ଠିକୁ ମଜବୁତ୍ କରିବାକୁ ପଡ଼ିବ ।
ସେଥିପାଇଁ କଳବଳ କୌଶଳ ପ୍ରୟୋଗ କରି ସାଢ଼େ ଚାରିକୋଟି ଝିଂଟିକାଙ୍କୁ ଚତୁରତାର ସହିତ ବଂଚାଇ ରଖିବାକୁ ପଡ଼ିବ ଓ ସେମାନଙ୍କ ଅଧିକାରକୁ ଲୁଣ୍ଠନ କରିବାକୁ ପଡ଼ିବ ।
ବିଜେପିର ମହାଲୁଟ ଯୋଜନା ତୁଳନାରେ ଏସ୍ ଆଇ ପରୀକ୍ଷା କେଳେଙ୍କାରୀ ମାମୁଲି ।
‘ଅଣଓଡ଼ିଆ ହାତରେ ଓଡ଼ିଆଙ୍କ ଜୀବନ’, ଏହିଭଳି ଏକ ବିରାଟ ବ୍ରହ୍ମାସ୍ତ୍ରରେ ବିଜେଡିକୁ ଗୁରୁତର ଆହତ କରିଥିବା ବିଜେପି ଏବେ ଅଣଓଡ଼ିଆ ଆଇଏଏସ ଆଇପିଏସ ଅଧିକାରୀଙ୍କ ପଦସେବାରେ ନିୟୋଜିତ ।
୨୦୨୪ ଜୁନ ମାସରୁ ଆଜି ପର୍ଯ୍ୟନ୍ତ ଯେତେସବୁ ପରୀକ୍ଷା ବାତିଲ କରାଯାଇଛି ।
ସେଗୁଡ଼ିକ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି), ଓଡ଼ିଶା ପୁଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଓପିଏସଏସବି), ଓଡ଼ିଶା ପୁଲିସ ମିନିଷ୍ଟେରିଆଲ୍ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ (ଓପିଏମଏସଏସବି), ସିଲେକ୍ସନ୍ ବୋର୍ଡ (ପୁଲିସ), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓସେପା ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶକ, ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ (ଓପିଏସସି), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ (ଓଏସଏସସି), ଓଏସଏସଏସସି, ରାଜ୍ୟ ସିଲେକ୍ସନ୍ ବୋର୍ଡ (ଉଚ୍ଚଶିକ୍ଷା) ସଚିବଙ୍କ ମାର୍ଫତରେ ପରିଚାଳିତ ହୋଇଥିଲା ।
ସରକାରୀ ନିଯୁକ୍ତି ମାମଲାରେ ଟଙ୍କା ଦିଆନିଆ କାରବାର ସ୍ୱାଧୀନତା ପୂର୍ବରୁ ଚଳିଆସୁଛି । ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚିତ ସରକାର ଅମଳରୁ ଚଳି ଆସୁଥିବା ଏହି ଗତାନୁଗତିକ ଧାରାକୁ ମୂଳପୋଚ୍ଛ କରିବାର ତାକତ୍ ବା ସାହସ କୌଣସି ରାଜନୈତିକ ଦଳ ବା ମେଂଟ ନିକଟରେ ନାହିଁ ।
ସତ କହିଲେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିନା ଆମ ସରକାରୀ କଳ ଗୋଟିଏ ମିଲିମିଟର ଆଗକୁ ଗଡ଼ି ପାରିବନି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ସତର୍କତାର ସହିତ ପରିଚାଳନା କରି ନପାରିଲେ ମୋହନ ଚରଣ ମାଝିଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦଟା ଚାଲିଯିବାର ସମ୍ଭାବନା ରହିଛି ।
୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ଯେତେସବୁ ପରୀକ୍ଷା ବାତିଲ କରାଯାଇଛି, ଯେତେସବୁ ଯୁବକ ଯୁବତୀଙ୍କ ଭବିଷ୍ୟତ ସହିତ ଖେଳ ଚାଲିଛି । ସେସବୁ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପୂର୍ଣ୍ଣତଃ ଦାୟୀ ।
ନିକଟରେ ବାତିଲ କରାଯାଇଥିବା ଏସ୍ ଆଇ ପରୀକ୍ଷା ପାଇଁ ପୁଲିସ ଡିଜି ୱାଇ ବି ଖୁରାନିୟା, ଡିଆଇଜି ଓ ଓପିଆରବି ମୁଖ୍ୟ ସୁଶାନ୍ତ କୁମାର ନାଥ ପୂର୍ଣ୍ଣତଃ ଦାୟୀ ।
ରାଜ୍ୟର ଯୁବକ ଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତ କରିବା ପାଇଁ ଘରୋଇ ସଂସ୍ଥାଗୁଡ଼ିକୁ ଠିକା ଦିଆଯିବା ବୁଦ୍ଧିଟା କାହା ମଗଜରୁ ବାହାରିଛି । ପ୍ରଥମେ ସେମାନଙ୍କୁ ଜେଲରେ ପୁରାଇବା ଜରୁରୀ ।