୨ ଦିନିଆ ରିମାଣ୍ଡରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଭୁବନେଶ୍ୱର SDJM କୋର୍ଟ ଅନୁମତି ଦେଇଛନ୍ତି। ତାଙ୍କୁ ଜାମିନରେ ନେଇ ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ଠକେଇର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି? କେତେ ଟଙ୍କା ଠକେଇ ହୋଇଛି? ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି? ଏହା ଜାଣିବା ପାଇଁ ବିଧାୟକଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଓ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ସାମ୍ନାସାମ୍ନି ଜେରା କରିବ ।

ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।

ତେବେ ପ୍ରଦୀପଙ୍କ ଆକାଉଣ୍ଟକୁ ଅଢେଇ କୋଟି ଟଙ୍କା କେଉଁଠୁ ଆସିଥିଲା। ଏହାଛଡ଼ା ତାଙ୍କ ଆକାଉଣ୍ଟରୁ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏହି ସବୁ ଟଙ୍କା କେଉଁଠୁ ଆସିଲା? ଏ ସମ୍ପର୍କରେ ଇଡି ଯାଞ୍ଚ କରୁଥିବା ବେଳେ ଗତ ୪ ତାରିଖ ସନ୍ଧ୍ୟା ବେଳେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏବେ ପ୍ରଦୀପ ଝାରପଡ଼ା ଜେଲ୍‌ରେ ରହିଛନ୍ତି।