ବିଜେପି ସରକାରକୁ ଚିନ୍ତା ବୁଲା କୁକୁର ଥଇଥାନ

ବୁଲା କୁକୁରଙ୍କ ଥଇଥାନ ଏବେ ବିଜେପି ସରକାର ଓ ବିଏମସିକୁ ଘାରିଛି ।

କେବଳ ଭୁବନେଶ୍ୱରରେ ଅଛନ୍ତି ପ୍ରାୟ ୪୭ ହଜାର ବୁଲା କୁକୁର, ଯାହା ଜାତୀୟ ହାର ତୁଳନାରେ ଯଥେଷ୍ଟ ଅଧିକ । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୭ଟି ୱାର୍ଡରେ ପ୍ରତି ହଜାରେ ଲୋକଙ୍କ ଭାଗରେ ପ୍ରାୟ ୩୭ଟି ବୁଲା କୁକୁର ପଡୁଛନ୍ତି ।

ଓଡ଼ିଶା ସ୍ତରରେ ପ୍ରତି ଏକ ହଜାର ଲୋକଙ୍କ ଭାଗରେ ପ୍ରାୟ ୩୯ଟି ବୁଲା କୁକୁର ପଡୁଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରତି ଏକ ହଜାର ଲୋକଙ୍କ ଭାଗରେ ୧୧ଟି ବୁଲା କୁକୁର ପଡୁଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଭୁକ୍ତ ପ୍ରତି ୱାର୍ଡରେ ଅନୁ୍ୟନ ୭୦୩ଟି ବୁଲା କୁକୁର ରହୁଥିବା ଜଣାପଡ଼େ । ରିପୋର୍ଟ ମୁତାବକ ବିଏମସି ଅଂଚଳରେ ରହିଥିବା ବୁଲା କୁକୁରଙ୍କ ଭିତରୁ ଅଣ୍ଡିରା କୁକୁରଙ୍କ ସଂଖ୍ୟା ୨୩୦୪୭, ମାଈ କୁକୁରଙ୍କ ସଂଖ୍ୟା ୧୮,୮୮୭ ଓ କୁକୁର ଛୁଆଙ୍କ ସଂଖ୍ୟା ୧୧୨୪ ।

ବିଏମସି ରିପୋର୍ଟ ଅନୁସାରେ ଅଦ୍ୟାବଧି ୪୦୬୮ ଅଣ୍ଡିରା କୁକୁର ଓ ୩୩୩୫ ମାଈ କୁକୁରଙ୍କର ବନ୍ଧ୍ୟା କରଣ ସରିଛି ।

ବୁଲା କୁକୁରଙ୍କ କବଳରୁ ରାଜଧାନୀ ବାସିନ୍ଦାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଏକାଧିକ ଥଇଥାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଛନ୍ତି ।

ଥଇଥାନ କେନ୍ଦ୍ରରେ ବୁଲା କୁକୁରଙ୍କ ଖାଦ୍ୟପାନୀୟ, ଚିକିତ୍ସା ବ୍ୟବସ୍ଥା କରାଯିବ । ସେଥିପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ ବରାଦ କରାଯାଇଛି । କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଇଁ ଜମି ଚିହ୍ନଟ ସରିଛି । ମାତ୍ର କାର୍ଯ୍ୟ ଆରମ୍ଭ କରାଯାଇନି ।