ଦିନ ମଜୁରିଆ ପରିବାରଙ୍କୁ ପୋଇଲି ପୁଅ ଭଳି ବ୍ୟବହାର କରୁଛି ବିଜେପି ସରକାର । କରୋନା ମହାମାରୀ ସମୟରେ ସବୁ ସରକାରୀ କର୍ମଚାରୀ ଘରେ ବସି ବସି ଦରମା ପାଇଲେ । ଦିନ ମଜୁରିଆ, ଶ୍ରମିକ ପରିବାରଙ୍କ ଜୀବନ ଜୀବିକା ପ୍ରତି ସରକାର ଆଖି ବୁଜିଦେଲେ ।
କରୋନା ମହାମାରୀ ସମୟରେ ମଧ୍ୟମ ବର୍ଗର ଲୋକମାନେ ସବୁଠାରୁ ବେଶି କଷ୍ଟ ପାଇଛନ୍ତି । କରୋନା ମହାମାରୀ ଭୟ ଦେଖାଇ ମୋଦୀ ସରକାର ଓ କମ୍ପାନୀ ଜଗତ ସର୍ବାଧିକ ଲାଭବାନ ହୋଇଥିଲେ ।
ସରକାରୀ କର୍ମଚାରୀଙ୍କ ପେଟକୁ ଭୋକିଲା ରଖି କୌଣସି କ୍ଷମତାସୀନ ରାଜନୈତିକ ଦଳ କୌଣସି ପରିସ୍ଥିତିରେ ଗରିବ ଦିନ ମଜୁରିଆ ଶ୍ରମିକ ପରିବାରଙ୍କ ପ୍ରତି ଦୟା ପ୍ରଦର୍ଶନ କରିନାହାନ୍ତି । ମୋହନ ସରକାର ସେହି ପରମ୍ପରା ପ୍ରତି ଆଖି ବୁଜି ଦେବେ କେମିତି?
ଅତଏବ ମୋହନ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ପ୍ରତି ଟିକେ ଅଧିକା ଦୟା ଦେଖାଇଛନ୍ତି ।
ଚଳିତ ବର୍ଷ ରାଜ୍ୟ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଶହରା ଓ ଦୀପାବଳି ଭେଟି ସ୍ୱରୂପ ୫% ମହଙ୍ଗା ଭତ୍ତା ପ୍ରଦାନ କରିଛନ୍ତି ମୋହନ ସରକାର ।
ଦିନ ମଜୁରିଆ ପରିବାରଙ୍କ ଉପରେ ଦରଦାମ ମହଙ୍ଗା ମାଡ଼ ପଡିଲେ ଚଳିବ, ମାତ୍ର ସରକାରୀ କର୍ମଚାରୀଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଲେ, ତା’ର ଯନ୍ତ୍ରଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୋଗିବାକୁ ପଡ଼ିବ ।
ଦଶହରା ସମୟରେ ରାଜ୍ୟ ସରକାର ୨ ପ୍ରତିଶତ ଓ ଦୀପାବଳି ସମୟରେ ୩ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ।
ଗତ ଜୁଲାଇ ମାସରୁ ରାଜ୍ୟର ସରକାରୀ କର୍ମଚାରୀମାନେ ବର୍ଦ୍ଧିତ ଦରମା ଉପରେ ୫୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ ।
ୟା’ ପୂର୍ବରୁ ସରକାରୀ କର୍ମଚାରୀମାନେ ବର୍ଦ୍ଧିତ ଦରମା ଉପରେ ୫୫ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିଲେ ।