Modern slavery: ଦଲାଲଙ୍କ କବଳରୁ ମୁକୁଳିବେ ଲକ୍ଷାଧିକ ଭାରତୀୟ

Modern slavery: ଦଲାଲଙ୍କ କବଳରୁ ମୁକୁଳିବେ ଲକ୍ଷାଧିକ ଭାରତୀୟ

ସାଉଦି ଆରବରେ ଦଲାଲଙ୍କ କବଳରେ ପଡ଼ି ବର୍ଷ ବର୍ଷ ଧରି ଗୋଲାମଗିରି କରୁଥିବା ଲକ୍ଷାଧିକ ଭାରତୀୟଙ୍କ ମନରେ ଆଶାର ସୂର୍ଯ୍ୟ ଉଦୟ ହୋଇଛି ।

୨୦୧୭ ମସିହାରେ କର୍ଣ୍ଣାଟକର ଜଣେ ନର୍ସ ସାଉଦି ଆରବ ଯାଇଥିଲେ । ନିଯୁକ୍ତିଦାତା ତାଙ୍କୁ ମାସିକ ୨୫ ହଜାର ଟଙ୍କା ଦରମା ଦେବାର ପ୍ରଲୋଭନ ଦେଖାଇଥିଲା । ସାଉଦି ଆରବରେ ପାଦ ଦେବା ପରେ ସଂପୃକ୍ତ ନର୍ସ ଏକ ଦଲାଲଙ୍କ କବଳରେ ପଡ଼ିଗଲେ ।

ସଂପୃକ୍ତ ଯୁବତୀଙ୍କୁ ଭୋକିଲା ରଖି କଠିନ କାମ କରିବାକୁ ବାଧ୍ୟ କରାଗଲା । ଦଲାଲଙ୍କ ଶୋଷଣରୁ ତ୍ରାହି ପାଇବା ପାଇଁ ଯୁବତୀଙ୍କ ନିକଟରେ କିଛି ଉପାୟ ନଥିଲା ।

ଧୈର୍ଯ୍ୟହରା ନହୋଇ ଯୁବତୀଜଣକ ଦଲାଲଙ୍କ ବିରୋଧରେ ଅଦାଲତକୁ ଗଲେ । ବେଶ କିଛି ବର୍ଷ ଧରି ଅଦାଲତରେ ଲଢ଼େଇ କରିବା ପରେ ଯୁବତୀ ଜଣକ ଦଲାଲଙ୍କ କବଳରୁ ମୁକ୍ତି ପାଇଲେ ।

ସଂପୃକ୍ତ ଯୁବତୀଙ୍କ ସପକ୍ଷରେ ଜାରି ଅଦାଲତ ରାୟକୁ ଆଧାର କରି ସାଉଦି ଆରବ ଶାସକ ୫୦ ବର୍ଷ ଧରି ଚାଲିଥିବା କଫାଲା ସିଷ୍ଟମକୁ ଲୋପ କରିଛନ୍ତି । ସାଉଦି ଆରବରେ ଆଉ ଦଲାଲି ସିଷ୍ଟମ ରହିବନି ।

କଫାଲା ସିଷ୍ଟମ ଆଧାରରେ ଜଣେ ଶ୍ରମଜୀବୀ ତା’ର ନିଯୁକ୍ତିଦାତାଙ୍କ ପ୍ରତି ଅନୁଗତ ରହିବାକୁ ବାଧ୍ୟ । ନିଯୁକ୍ତିଦାତାଙ୍କ ବିନା ଅନୁମତିରେ କିଛି କାମ କରିବା ବେଆଇନ ଧରି ନିଆଯାଉଥିଲା ।

ଏବେ ସାଉଦି ଆରବରୁ କଫାଲା ସିଷ୍ଟମ ହଟିଗଲା, କିନ୍ତୁ ସାଉଦି ଆରବ ପଡ଼ୋଶୀ ଦେଶଗୁଡ଼ିକରେ କଫାଲା ସିଷ୍ଟମ ଜାରି ରହିଛି ।

ସୂଚନା ମୁତାବକ, ଉପ-ସାଗରୀୟ ଦେଶଗୁଡ଼ିକରେ ପ୍ରାୟ ୨ କୋଟି ୪୦ ଲକ୍ଷ ଶ୍ରମିକ ଏବେ ସୁଦ୍ଧା କଫାଲା ସିଷ୍ଟମରେ ପଡ଼ି ଦହଗଞ୍ଜ ହେଉଛନ୍ତି । ସେମାନଙ୍କ ଭିତରୁ ଭାରତୀୟ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୭୫ ଲକ୍ଷରୁ ଅଧିକ ।

ସାଉଦି ଆରବ ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ ଫଳରେ ପ୍ରାୟ ୨୫ ଲକ୍ଷ ଭାରତୀୟଙ୍କ ସମେତ ୧ କୋଟି ୩୦ ଲକ୍ଷ ପ୍ରବାସୀ ଶ୍ରମିକ କଫାଲା ସିଷ୍ଟମରୁ ମୁକୁଳିଯିବେ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ ଓ ମାନବାଧିକାର ସଂଗଠନ ବିଚାରଧାରା ଅନୁସାରେ କଫାଲା ସିଷ୍ଟମକୁ ଆଧୁନିକ ଗୋଲାମଗିରି ଧରି ନିଆଯାଉଥିଲା ।

ନିଯୁକ୍ତିଦାତାଙ୍କ ବିନା ଅନୁମତିରେ ଶ୍ରମିକମାନେ ଗୋଟିଏ ସ୍ଥାନରୁ ଚାକିରି ଛାଡ଼ି ଅନ୍ୟତ୍ର କାମ କରି ପାରୁ ନଥିଲେ ।

ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିପାରୁ ନଥିଲେ । କର୍ମକ୍ଷେତ୍ରରେ ନିର୍ଯାତନାର ଶିକାର ହୋଇ ସେଠାକାର ଥାନାରେ ଅଭିଯୋଗ କରି ପାରୁ ନଥିଲେ ।