ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ: ୪୪ ମୃତ, ୩୦୦ ନିଖୋଜ

କିଛି ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ନିଆଁ …

କିଛି ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ନିଆଁ ଲାଗି ଯାଇଥିଲା । ଏହି ଘଟଣା ପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ତାଇ ପୋ ଜିଲ୍ଲାର ୱାଙ୍ଗ ଫୁକ୍ କୋର୍ଟ ହାଇସିଂ କଂପ୍ଲେକ୍ସରେ ନିଆଁ ଲାଗି ୧୩ ଜଣଙ୍କର ଜୀବନ ଯାଇଥିବା ଖବର ପ୍ରକାଶ ପାଇଥିଲା । ପରେ ପରେ ମୃତକଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ୪୦ ଟପିଥିଲା । ଅତିକମ୍‌ରେ ୩୦୦ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇ ଥିବାବେଳେ ମୃତକଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଯବାନ ମଧ୍ୟ ଅଛନ୍ତି । ତେବେ ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ କରିବା କଷ୍ଟକର ହୋଇପଡ଼ିଛି ।
ୱାଙ୍ଗ ଫୁକ୍ କୋର୍ଟ ଆବାସିକ ଅଂଚଳରେ ମୋଟ ୨୦୦୦ ଆପାର୍ଟମେଂଟ୍ ରହିଛି । ଆପାର୍ଟମେଂଟ୍ ବାହାରେ ଲାଗିଥିବା ବାଉଁଶରେ ନିଆଁ ଲାଗି ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା।

କେତେକ ଆପାର୍ଟମେଂଟ୍‌ରେ ନବୀକରଣ କାର୍ଯ୍ୟ ଚାଲିଥିଲା ବୋଲି ଜଣାପଡିଛି । ଅଗ୍ନିଶମ ଟିମ୍ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିଆଁ ସହ ଉଚ୍ଚକୁ ଉଠୁଥିବା ଧୂଆଁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ନିଖୋଜଙ୍କ ସନ୍ଧାନ ମଧ୍ୟ ଆରମ୍ଭ ହୋଇଛି। ହଂକଂର ଉତରରେ ଥିବା ତାଇ ପୋ ଚୀନର ମୁଖ୍ୟ ସହର ଶେନଜେନ୍ ସୀମାରେ ଅବସ୍ଥିତ ।