ବାରଙ୍ଗ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ଆଗକୁ ନୂଆବର୍ଷ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ । ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକମାନଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।
ଏଥର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ କିଛି ନୂଆ ଜୀବଜନ୍ତୁ ଦେଖିବାକୁ ପାଇବେ । ଏଥିପାଇଁ ଖୁବ୍ ଶୀଘ୍ର ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ଜୀବଜନ୍ତୁ ନନ୍ଦନକାନନ ଆସିଛନ୍ତି । ଆଗକୁ ଆହୁରି କିଛି ଜନ୍ତୁ ଆଣିବାର ଯୋଜନା ରହିଛି । ସେଥିପାଇଁ କିଛି ନୂଆ ଖୁଆଡ ନିର୍ମାଣ ଚାଲିଛି ଯାହା ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଅଦଳବଦଳ ପ୍ରକ୍ରିୟାରେ ଗୁଜୁରାଟରୁ ୪ ପ୍ରଜାତିର ୧୯ଟି ଜୀବଜନ୍ତୁ ଆସୁଛନ୍ତି । ଡିସେମ୍ବର ୧୦ ତାରିଖ ସୁଦ୍ଧା ଅତିଥି ଜନ୍ତୁ ନନ୍ଦନକାନନରେ ପହଁଚିବେ । ନନ୍ଦନକାନନକୁ ପ୍ରଥମ ଥର ଆସୁଛନ୍ତି ୫ଟି ପାଣି ଓଧ । ତା’ ସାଙ୍ଗକୁ ଭାରତୀୟ ପଥର କଇଁଛ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଆଗକୁ ଆଉ କିଛି ନୂଆ ଜନ୍ତୁ ଆସିବାର ଯୋଜନା ଅଛି । ଡିସେମ୍ବର ୨୯ ତାରିଖ ନନ୍ଦନକାନନ ପ୍ରତିଷ୍ଠା ଦିବସ ପରେ ପର୍ଯ୍ୟଟକମାନେ ନୂଆ ଖୁଆଡରେ ବିଦେଶୀ ଜୀବଜନ୍ତୁ ଦେଖିପାରିବେ । ସେହିପରି ଉଦ୍ଭିଦ ଉଦ୍ୟାନରେ ନୂଆ ବଗିଚା ନିର୍ମାଣ ଚାଲିଛି, ଯାହା ଖୁବ୍ ଶୀଘ୍ର ଶେଷ ହୋଇଯିବ । ଗତବର୍ଷ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିଲା । ଚଳିତ ବର୍ଷ ମଧ୍ୟ ଅଧିକ ପର୍ଯ୍ୟଟକ ଦେଶ ବିଦେଶରୁ ଆସିବେ ବୋଲି ଆଶା କରାଯାଉଛି ।
ତେଣୁ ସୁରକ୍ଷା ଦୃଷ୍ଟିରୁ ପାର୍କିଂ ପାଇଁ ଅଧିକ ଜାଗା ଓ ଅଧିକ ଟିକଟ କାଉଂଟର ଖୋଲାଯିବାର ବ୍ୟବସ୍ଥା ହେଉଛି । ଅଧିକ ସିକୁରିଟି ବ୍ୟବସ୍ଥା ମଧ୍ୟ କରାଯାଉଛି । ଭିଡ ସମୟ ବିଶେଷ କରି ବଡଦିନଠାରୁ ନୂଆବର୍ଷ ପର୍ଯ୍ୟନ୍ତ ମେଡିକାଲ ଟିମ୍, ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ହେବେ ।