ନୂଆଦିଲ୍ଲୀ: ରୁଷିଆ ବଳରେ ଭାରତ ହେବ ସମୁଦ୍ରରେ ଅପରାଜିତା । ଦୁଇଦିନ ପାଇଁ ଭାରତ ଆସୁଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତାଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଏବେ ସାମ୍ନାକୁ ଆସିଛି । ଭାରତ ଏବଂ ରୁଷିଆ ଏକ ପରମାଣୁ ବୁଡ଼ାଜାହାଜ ରାଜିନାମା କରିଛନ୍ତି ।
ରୁଷିଆ ଭାରତକୁ ଗୋଟିଏ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଲିଜ୍ ଆକାରରେ ଦେବାକୁ ରାଜି ହୋଇଛି । ୨୦୨୮ ସୁଦ୍ଧା ରୁଷିଆ ଭାରତକୁ ଏହି ପରମାଣୁ ବୁଡ଼ାଜାହାଜ ହସ୍ତାନ୍ତର କରିବ । ଭାରତୀୟ ନୌସେନା ମୁଖ୍ୟଙ୍କ ମତରେ ଭାରତ ୨୦୨୭ ସୁଦ୍ଧା ଏହି ପରମାଣୁ ବୁଡ଼ାଜାହାଜ ପାଇବାକୁ ଚାହୁଁଛି । ରୁଷିଆ ଭାରତକୁ ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଦେବ । ୟା’ ପୂର୍ବରୁ ୨୦୧୨ ମସିହାରେ ଭାରତ ରୁଷିଆ ନିକଟରୁ ୧୦ ବର୍ଷ ପାଇଁ ଗୋଟିଏ ବୁଡାଜାହାଜ ଲିଜ୍ ଆକାରରେ ଆଣିଥିଲା ।
୨୦୨୨ ମସିହାରେ ସେହି ବୁଡ଼ାଜାହାଜ ରୁଷିଆକୁ ଫେରାଇ ଦିଆଯାଇଥିଲା । ଏହି ପରମାଣୁ ବୁଡ଼ାଜାହାଜ କିଛି ସପ୍ତାହ ପର୍ଯ୍ୟନ୍ତ ପାଣି ଭିତରେ ରହିପାରିବ, ଯାହା ଦେଶର ସାମୁଦ୍ରିକ ଶକ୍ତିକୁ ଆହୁରି ବୃଦ୍ଧି କରିବ । ଏଥର ମଧ୍ୟ ଭାରତ ରୁଷିଆ ନିକଟରୁ ୧୦ ବର୍ଷ ପାଇଁ ବୁଡ଼ାଜାହାଜ ଆଣିବାକୁ ଚାହୁଁଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ମଙ୍ଗଳବାର କହିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ଏଜେଣ୍ଡାରେ ଏସ୍-୪୦୦ ପ୍ରତିରକ୍ଷା ସିଷ୍ଟମକୁ ଅନ୍ତର୍ଭୁକ୍ତ କରାଯାଇପାରିବ । ସେ କହିଛନ୍ତି, ୩୬% ଭାରତୀୟ ସାମରିକ ଅସ୍ତ୍ରଶସ୍ତ୍ର ରୁଷିଆ ସେନା ବ୍ୟବହାର କରିଥାଏ । ଆଗାମୀ ଦିନରେ ଆମେ ଭାରତ ନିକଟରୁ ସାମରିକ ଅସ୍ତ୍ରଶସ୍ତ୍ର ପାଇବା ଆଶା କରୁଛୁ ।
ଡିସେମ୍ବର ୪ରେ ଭାରତରେ ପାଦ ଦେବେ ପୁଟିନ୍
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଡିସେମ୍ବର ୪-୫ରେ ଭାରତ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ସେ ୨୩ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦାନ କରିବେ । ଏହି ଗସ୍ତ ସମୟରେ ପୁଟିନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଭାରତ ଏବଂ ରୁଷିଆ ସେମାନଙ୍କର ଘନିଷ୍ଠ ବନ୍ଧୁତାକୁ ବାଣିଜ୍ୟ ସହଭାଗିତାରେ ବିସ୍ତାରିତ କରିବାକୁ ଚାହୁଁଛନ୍ତି । ଦୁଇଦେଶ ମିଳିମିଶି ଆଗେଇବେ ।