ଭିନ୍ନକ୍ଷମ କହିଲେ ଶାରିରୀକ, ମାନସିକ ଅନଗ୍ରସର ଚରିତ୍ରଟିଏ । ସମାଜରେ ସାଧାରଣ ଲୋକଙ୍କ ଭଳି ଭିନ୍ନକ୍ଷମଙ୍କୁ ବଂଚିବାର ଅଧିକାର ଦିଆଯାଇଛି । କାହା ଦୟାରେ ନୁହେଁ ସରକାରଙ୍କ ପ୍ରଣୀତ ଅଧିକାର ବଳରେ ଜଣେ ଭିନ୍ନକ୍ଷମ ସ୍ୱାଧିନତାର ସହିତ ବସବାସ କରିପାରିବେ । ଦିନ ଥିଲା, ଭିନ୍ନକ୍ଷମଙ୍କୁ ଦୟାର ପାତ୍ର ଧରି ନିଆଯାଉଥିଲା । ମାନସିକ ଅବା ଶାରିରୀକ ବିକଳାଙ୍ଗ ଲୋକଟିର ମଧ୍ୟ ଦୁନିଆରେ ବଂଚିବାର ଅଧିକାର ଅଛି । ଭିନ୍ନକ୍ଷମଙ୍କୁ ସମାଜର ଅଲୋଡ଼ା ଅଙ୍ଗ ମଣିବା ଯୁକ୍ତିସଂଗତ ନୁହେଁ । ଜଣେ ଭିନ୍ନକ୍ଷମଙ୍କ ପ୍ରତି ଏଭଳି ମନୋଭାବ ଆଣିବା ଭୟଙ୍କର ଅପରାଧ । ଭିନ୍ନକ୍ଷମଙ୍କ ଅଧିକାର ପରାକାଷ୍ଠାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩ ତାରିଖଟିକୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରୂପେ ପାଳିତ ହୋଇଆସୁଛି ।
ଭିନ୍ନକ୍ଷମ ଛୋଟିଆ ଶବ୍ଦ ନୁହେଁ । ଆଖିକୁ ଦିଶୁ ନଥିବା ଲୋକଟିକୁ ଭିନ୍ନକ୍ଷମ କୁହାଯିବ, ମାନସିକ ବିକାରଗ୍ରସ୍ତ ଲୋକଟିକୁ ମଧ୍ୟ ଭିନ୍ନକ୍ଷମ କୁହାଯିବ । ଶ୍ରବଣ ଦୋଷଯୁକ୍ତ ଲୋକଟିକୁ ଭିନ୍ନକ୍ଷମ କୁହାଯିବ । ଅଙ୍ଗୁଳିଟିଏ କଟିଯାଇଥିବା ଲୋକଟିଏ ମଧ୍ୟ ଭିନ୍ନକ୍ଷମ ଶ୍ରେଣୀଭୁକ୍ତ ହୋଇପାରନ୍ତି ।
ଭିନ୍ନକ୍ଷମଙ୍କ ପ୍ରତି ଏତେ ସବୁ ସରକାରୀ ସୁବିଧା ସୁଯୋଗ ଥିଲେ ମଧ୍ୟ ସବୁ କିଛି କାଗଜପତ୍ରରେ ସୀମିତ । ଏପରିକି ସରକାରୀ ବିଭାଗରେ ଜଣେ ଭିନ୍ନକ୍ଷମଙ୍କୁ ଥଇଥାନ କରିବା ଅତ୍ୟନ୍ତ କାଠିକର ପାଠ । ଶିକ୍ଷା, ସ୍ୱାସ୍ଥ୍ୟ, ପେସା, ନିଯୁକ୍ତି କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି, ମାତ୍ର ସରକାରୀ ଅଧିକାରୀଙ୍କ ମନକୁ ଜାବୁଡ଼ି ଧରିଥିବା ସଂକୀର୍ଣ୍ଣ ମନୋଭାବ ନିକଟରେ ଭିନ୍ନକ୍ଷମଙ୍କ ଅଧିକାର ବଳି ପଡ଼ିଯାଉଛି ।
ସଂସଦ ଓ ବିଧାନସଭାରେ ଭିନ୍ନକ୍ଷମଙ୍କ ପାଇଁ ନାନା ନୀତି ପ୍ରଣୟନ କରାଯାଉଛି । ମାତ୍ର ସେହି ନୀତିଗୁଡ଼ିକ ଶତପ୍ରତିଶତ କାର୍ଯ୍ୟକାରୀ ପଛରେ ସରକାରୀ ଅଧିକାରୀଙ୍କ ମର୍ଜି ନିର୍ଭର କରୁଛି । ଏକବିଂଶ ଶତାବ୍ଦୀରେ ସରକାରୀ ଅଧିକାରୀଙ୍କ ମର୍ଜି ଉପରେ ଭିନ୍ନକ୍ଷମଙ୍କ ଭାଗ୍ୟ ଛାଡ଼ି ଦିଆଯିବା କେତେ ଦୂର ଯଥାର୍ଥ, ସେ ସଂପର୍କରେ ବିଚାର ଆଲୋଚନା କରିବା ଭଳି ଦିନଟିଏ ହେଉଛି ୩ ଡିସେମ୍ବର ।