ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ

ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ପରିଚାଳନାକୁ ଅଧିକ ପ୍ରଭାବୀ କରିବାକୁ ଗୁରୁତ୍ୱ

ବିପର୍ଯ୍ୟୟ ପରିଚାଳନା ରାଜ୍ୟ….

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ୨୦୨୫-୨୬ ବର୍ଷର ୧ମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍) ଏବଂ ରାଜ୍ୟ ବିପର୍ଯ୍ୟୟ ହ୍ରାସ ପାଣ୍ଠି (ଏସଡିଏମଏଫ୍) କୁ ନେଇ ଗଠିତ ରାଜ୍ୟ ବିପର୍ଯ୍ୟୟ ଆପଦ ପରିଚାଳନା ପାଣ୍ଠି (ଏସଡିଆରଏମଏଫ୍) ଅଧିନରେ ରହିଥିବା ଅର୍ଥ ଓ ୨୦୨୫-୨୬ ଆର୍ôଥକ ବର୍ଷର ଖର୍ଚ୍ଚ ଅନୁମୋଦନ ସଂପର୍କରେ ଆଲୋଚନା କରାଯାଇଥିଲା ।
ଗତ ମାର୍ଚ୍ଚ ମାସ ଠାରୁ ନଭେମ୍ବର ୨୮ ତାରିଖ ମଧ୍ୟରେ ହୋଇଥିବା ରାଜ୍ୟରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବାବଦକୁ ହୋଇଥିବା ଜରୁରୀ ଖର୍ଚ୍ଚ ସଂପର୍କିତ ଓ?ପଚାରିକ ଅନୁମୋଦନ କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, ୨୦୨୫-୨୬ ବର୍ଷରେ ଏସଡିଆରଏମଏଫ୍ ରୁ ମୋଟ ୩୯୧.୪୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବୈଠକରେ ପ୍ରସ୍ତାବିତ ଅନୁମୋଦନ ନିମନ୍ତେ ରହିଥିବା କାର୍ଯ୍ୟ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଦିଆଯାଇଥିବା ସଂଶୋଧିତ ଅତିରିକ୍ତ ଖର୍ଚ୍ଚ ମଂଜୁର କରାଯିବା, ବିଭିନ୍ନ ଜିଲ୍ଲାରେ ବଜ୍ରପାତରୁ ରକ୍ଷା ନିମନ୍ତେ ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଆର୍ôଥକ ସହାୟତା ଏବଂ ଜଙ୍ଗଲ ନିଆଁ ରୋକିବାରେ ଆପଦ ପରିଚାଳନା ପାଇଁ ଓସଡମା ତରଫରୁ ଦିଆଯାଇଥିବା ଆର୍ôଥକ ମଂଜୁରୀ ପ୍ରସ୍ତାବକୁ ଅନୁମୋଦନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।
ପୁରୀ ଓ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଂଚଳମାନଙ୍କରେ ଲଗାଯାଇଥିବା ବାତ୍ୟା ପ୍ରତିରୋଧୀ ଝାଉଁଗଛଗୁଡ଼ିକର ୩ୟ ବର୍ଷ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ଅନୁମୋଦନ, ଶକ୍ତି ବିଭାଗ ପକ୍ଷରୁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଶକ୍ତି ବିଭାଗ ପକ୍ଷରୁ ମଧ୍ୟ ପାହାଳ ଠାରେ ୨୨୦ କେ.ଭି. ଗ୍ୟାସ ଇନ୍ସୁଲେଡ୍ ସୁଇଚ୍ଗିଅର ଗ୍ରୀଡ୍ ସବ୍ ଷ୍ଟେଟନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାକି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭୁବନେଶ୍ୱର ଓ କଟକ ସହରରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥାରେ ବିଶ୍ୱସନୀୟ ସେବା ପ୍ରଦାନରେ ସହାୟତା କରିବ । ଏହା ବ୍ୟତୀତ ଶକ୍ତି କ୍ଷେତ୍ରରେ ଅନ୍ୟ କେତେକ ଜିଲ୍ଲାରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢୀକରଣ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଆର୍ôଥକ ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯାଇଥିଲା । ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ଦାଉରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ସେତୁ ଏବଂ ସଡ଼କ ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମରୁଡ଼ିରୁ ସୁରକ୍ଷା ପାଇଁ ଖର୍ଚ୍ଚ ସହାୟତା ବାବଦରେ ରାଜ୍ୟର ଅଂଶଧନ ବାବଦକୁ ମଂଜୁରୀ ଅନୁମୋଦନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବାତ୍ୟା ପ୍ରଭାବିତ ଜିଲ୍ଲାପାଇଁ ୩-ଫେଜ୍ ଡିଜି ସେଟ୍ କ୍ରୟ ସଂପର୍କିତ ଆଲୋଚନା ପୂର୍ବକ ଅନୁମୋଦନ ପାଇଁ କମିଟିରେ ଉପସ୍ଥାପନ କରାଯାଇଥିଲା । ରାଜ୍ୟରେ ଥିବା ୨୦ଟି ଓଡ୍ରାଫ୍ ୟୁନିଟ୍ କୁ ସୁଦୃଢ କରିବା ସହିତ ଆଉ ୧୦ଟି ନୂଆ ଓଡ୍ରାଫ୍ ୟୁନିଟ୍ ର ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଯାନ କ୍ରୟ ପାଇଁ ପ୍ରସ୍ତାବ ଅନୁମୋଦନ କରାଯିବା, ବାତ୍ୟା ସମୟରେ ଉପକୂଳ ଅଂଚଳରେ ସ୍ଥାନୀୟ ପୁଲିସ୍ ର ତ୍ୱରିତ ପ୍ରତିକ୍ରିୟାଶୀଳତା ଓ ପରିଚାଳନା ପାଇଁ ନୂଆ ଏବଂ ଆଧୁନିକ ଯନ୍ତ୍ରପାତି ବ୍ୟବସ୍ଥା ପାଇଁ ଗୃହ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମଂଜୁରୀ କରାଯିବା ସହ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଅଧିକ ସୁଦୃଢ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଯାନ କ୍ରୟ ପାଇଁ ଆର୍ôଥକ ମଂଜୁରୀ ନିମନ୍ତେ ପ୍ରସ୍ତାବ ଦିଆଯାଇଛି ।

ଉପକୂଳ ଅଂଚଳରେ ବନ୍ୟା ବାତ୍ୟା ସମୟରେ ସ୍ଥାନୀୟ ପୋଲିସ୍ର ପ୍ରଭାବୀ ପରିଚାଳନା ଓ ତୁରନ୍ତ ପ୍ରତିକ୍ରିୟାଶୀଳତା ପାଇଁ ଆଧୁନିକ ଯନ୍ତ୍ର ପାତି ସୁବିଧା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ ବ୍ୟବସ୍ଥା ଆଦି ନିମନ୍ତେ ଆର୍ôଥକ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶ ବିଦେଶରେ ସୁନାମ ଅର୍ଜନ କରିଛି । ବିପର୍ଯ୍ୟୟ ଅପ୍ରତ୍ୟାଶିତ ଭାବେ ଆସିଥାଏ, ସେଥିପାଇଁ ଆମକୁ ସବୁବେଳେ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରି ପ୍ରସ୍ତୁତି ରହିବାର ଆବଶ୍ୟକତା ରହିଛି । ଏଥିପାଇଁ ଆନ୍ତ-ବିଭାଗୀୟ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହିତ ଜରୁରୀକାଳୀନ ବିପର୍ଯ୍ୟୟ କ୍ଷେତ୍ରରେ ମୁକାବିଲା ପାଇଁ ଆମର ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା (ରେନ୍ସପନ୍ସ ସିଷ୍ଟମ) କିପରି ଅଧିକ ପ୍ରଭାବୀ ହେବ ଏବଂ ଖୁବ୍ କମ୍ ସମୟ ଭିତରେ ଯେପରି ଘଟଣାସ୍ଥଳରେ ପହଁଚି ଏହାର ମୁକାବିଲା ସୁନିଶ୍ଚିତ କରାଯାଇପାରିବ, ସେଥିପ୍ରତି ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟ ଶାସନ ସଚିବ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହିତ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ସମସ୍ତ ପଦକ୍ଷେପ ଓ ସହାୟତା ଯୋଗାଇଦେବା ପାଇଁ ପ୍ରତିବଦ୍ଧ ରହିଥିବା ପ୍ରକାଶ କରିଥିଲେ ।