ରାଜ୍ୟସଭାରେ ମହାବିତର୍କ: ‘ବନ୍ଦେ ମାତରମ୍‌’କୁ ଖଣ୍ଡ ଖଣ୍ଡ କରିଥିଲେ ନେହୁରୁ

ଲୋକସଭା ପରେ ରାଜ୍ୟସଭାରେ ‘ବନ୍ଦେ ମାତରମ୍‌’ର ୧୫୦ …

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତୀ ମହାବିତର୍କ ଶେଷ ହୋଇଛି। ‘ବନ୍ଦେ ମାତରମ୍‌’ ମହାବିତର୍କରେ ଭାଗ ନେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ। ମନ୍ତ୍ରୀ କହିଛନ୍ତି, ନେହୁରୁ ବନ୍ଦେ ମାତରମ୍‌କୁ ଖଣ୍ଡ ଖଣ୍ଡ କରିଥିଲେ। ତୁଷ୍ଟିକରଣ ପାଇଁ ବନ୍ଦେ ମାତରମ୍‌ ବିରୋଧ କରିଥିଲେ। ସେ ନ ଥିଲେ ଦେଶ ବିଭାଜନ ହୋଇ ନଥାନ୍ତା। ଯେଉଁମାନେ ‘ବନ୍ଦେ ମାତରମ୍‌’ ଗାଇବାକୁ ଚାହୁଁଥିଲେ, ତାଙ୍କୁ ଜେଲ୍‌ରେ ଭର୍ତି କରୁଥିଲେ ଇନ୍ଦିରା ଗାନ୍ଧୀ। ରାଜ୍ୟସଭା ବିତର୍କରେ ଗୃହମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି, ‘କଂଗ୍ରେସ ସାଂସଦମାନେ ବନ୍ଦେ ମାତରମ୍‌ ଉପରେ ଆଲୋଚନା କରିବାର ଆବଶ୍ୟକତା ପ୍ରତି ପ୍ରଶ୍ନ ଉଠାଇ ତାକୁ ଏକ ରାଜନୈତିକ ରଣନୀତି ଏବଂ ପ୍ରସଙ୍ଗରୁ ବିମୁଖ କରିବାର ଏକ ଉପାୟ କହୁଛନ୍ତି। ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କେହି ଭୟ କରନ୍ତି ନାହିଁ। ଆମେ ସଂସଦ ବର୍ଜନ କରୁନାହୁଁ। ଯଦି ସେମାନେ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ବର୍ଜନ ବନ୍ଦ କରିବାକୁ ପଡିବ ଏବଂ ସମସ୍ତ ଆଲୋଚନା ହେବ। ଆମେ କୌଣସି ବିଷୟକୁ ଭୟ କରୁନାହୁଁ କିମ୍ବା ଲୁଚାଇବାକୁ ଚେଷ୍ଟା କରୁନାହୁଁ। ଆମେ ଯେକୌଣସି ପ୍ରସଙ୍ଗରେ ବିତର୍କ ପାଇଁ ପ୍ରସ୍ତୁତ। ସେମାନଙ୍କୁ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ବନ୍ଦେ ମାତରମ୍‌ ଉପରେ ଆଲୋଚନାକୁ ଏଡ଼ାଇବା ନୂଆ କଥା ନୁହେଁ। ଯେତେବେଳେ ବନ୍ଦେ ମାତରମ୍‌ ୫୦ ବର୍ଷ ପୂରଣ କରିଥିଲା ସେତେବେଳେ ଭାରତ ସ୍ୱାଧୀନ ନଥିଲା।

ଯେତେବେଳେ ବନ୍ଦେ ମାତରମ’ ସୁବର୍ଣ୍ଣ ଜୟନ୍ତୀ ହେବାକୁ ଥିଲା, ଜବାହରଲାଲ ନେହେରୁ ଜାତୀୟ ଗୀତକୁ ଦୁଇ ଖଣ୍ଡ କରି ଦୁଇଟି ପଦରେ ସୀମିତ ରଖିଥିଲେ।’ ବିଜେପିକୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସମୟରେ କଂଗ୍ରେସ ବନ୍ଦେ ମାତରମ୍‌କୁ ଏକ ସ୍ଲୋଗାନ୍‌ ଭାବେ ବ୍ୟବହାର କରିଥିଲା। ତୁମର ଇତିହାସ ହେଉଛି ଯେ, ତୁମେ ସବୁବେଳେ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶପ୍ରେମ ଗୀତର ବିରୋଧୀ ଥିଲ। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ, ଯେଉଁଥିରେ ନେହୁରୁଜୀ, ମହାତ୍ମା ଗାନ୍ଧୀ, ମୌଲାନା ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ଜୀ, ସର୍ଦ୍ଦାର ପଟେଲଜୀ, ଗୋବିନ୍ଦ ବଲ୍ଲଭ ପନ୍ତଜୀ ପ୍ରମୁଖ ଥିଲେ। ଏକ ପ୍ରସ୍ତାବ ପାସ୍‌ କରି ସୁପାରିଶ କରିଥିଲେ, ଜାତୀୟ ସମାବେଶରେ ‘ବନ୍ଦେ ମାତରମ୍‌’ କେବଳ ପ୍ରଥମ ଦୁଇଟି ପଦରେ ସୀମିତ ରହିବା ଉଚିତ। ନେହୁରୁଜୀ କ’ଣ କଂଗ୍ରେସ କାର୍ଯ୍ୟକାରିଣୀରେ ଥିଲେ? ଆପଣ ଅନ୍ୟ ନେତାଙ୍କୁ ଅପମାନିତ କରୁଛନ୍ତି ଯେଉଁମାନେ ଏକ ସାମୂହିକ ନିଷ୍ପତି ନେଇଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କାହିଁକି ନେହୁରୁଜୀଙ୍କୁ ଟାର୍ଗେଟ କରୁଛନ୍ତି? ପ୍ରଧାନମନ୍ତ୍ରୀ ମୋଦିଜୀ ଜବାହରଲାଲ ନେହୁରୁଙ୍କୁ ଅପମାନିତ କରିବାର କୌଣସି ସୁଯୋଗ ଛାଡିବେ ନାହିଁ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସେହି ପଥ ଅନୁସରଣ କରୁଛନ୍ତି। ଆମକୁ ଦେଶଭକ୍ତି ପଢାଉଛନ୍ତି।’