୮୫ ହଜାର ଭିସା ରଦ୍ଦ କଲେ ଟ୍ରମ୍ପ୍‌, ଭାରତୀୟଙ୍କ ଭେଳା ବୁଡ଼ିଲା!

ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ …

ୱାଶିଂଟନ: ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଚଳିତ ବର୍ଷ ପ୍ରାୟ ୮୫,୦୦୦ ଭିସା ରଦ୍ଦ କରିଛନ୍ତି। ଷ୍ଟେଟ୍‌ ଡିପାର୍ଟମେଂଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭିସା ରଦ୍ଦ କରିବାର ଉଦ୍ଦେଶ୍ୟ ହେଉଛି ଆମେରିକାର ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା। ଏହି ପଦକ୍ଷେପ ଭାରତୀୟ କର୍ମଜୀବୀ ଓ ଛାତ୍ରଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଛି। ବାତିଲ କରାଯାଇଥିବା ଭିସା ମଧ୍ୟରେ ୮,୦୦୦ରୁ ଅଧିକ ଛାତ୍ର ଅଛନ୍ତି। ଯାହା ଗତବର୍ଷ ତୁଳନାରେ ଦୁଇଗୁଣ ଅଧିକ। ଜଣେ ଅଧିକାରୀ କହିଛନ୍ତି, ଆମେରିକାରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ପ୍ରବାସୀଙ୍କ ଭିସା ଖାରଜ କରି ଦିଆଯାଇଛି। ଅପରାଧମୁକ୍ତ ପ୍ରବାସୀଙ୍କ ଭିସା ବାତିଲ କରାଯାଇନି। ଅପରାଧପ୍ରବଣ ପ୍ରବାସୀ ଆମେରିକାର ସୁରକ୍ଷା ପ୍ରତି ବିପଦ ବୋଲି ବିବେଚନା କରାଯାଉଛି। ତେଣୁ ସେମାନଙ୍କର ଭିସା ପ୍ରତ୍ୟାହାର କରାଯାଇଛି।

ଟ୍ରମ୍ପ୍‌ ପ୍ରଶାସନ ବିଶେଷ କରି ସାଂଘାତିକ ବିପଦପୂର୍ଣ୍ଣ ଅଂଚଳରୁ ଆସୁଥିବା ଲୋକଙ୍କ ପାଇଁ ଭିସା ଯାଂଚ୍‌କୁ କଡ଼ାକଡ଼ି କରିଛନ୍ତି। ଆଫଗାନିସ୍ତାନ ସମ୍ପର୍କରେ ଅଧିକାରୀ କହିଛନ୍ତି, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି। ତେଣୁ, ଭିସା ଆବେଦନକାରୀମାନେ ଯେପରି ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ନ କରନ୍ତି ତାହା ନିଶ୍ଚିତ କରିବା ଆମ ପାଇଁ ଜରୁରୀ।