ଆମ ନିଜର କହିଲେ ଦୁଇଟି ପରମାଣୁ ବୁଡାଜାହଜ, ଭଡ଼ାରେ ଆଣିବା!

ବିଶ୍ୱରେ ବୁଡାଜାହାଜର ବ୍ୟବହାର। କିଏ …..

ନୂଆଦିଲ୍ଲୀ: ବିଶ୍ୱରେ ବୁଡାଜାହାଜର ବ୍ୟବହାର। କିଏ କେବେ କୋଉଠି କାହା ବିରୋଧରେ ବ୍ୟବହାର କରିଥିଲା? ସେ ତଥ୍ୟ ଅଲୋଡ଼ା ପ୍ରାୟ। ଏବେ ସମସ୍ତଙ୍କ ମନରେ ଗୋଟିଏ ନିଶା, ସବୁଠାରୁ ଶକ୍ତିଶାଳୀ ହେବାର ଯାନ୍ତ୍ରିକ ବିଦ୍ୟା ହାସଲ କରିବା।

ପରମାଣୁ ବୁଡାଜାହାଜର ଜନ୍ମ ଶୀତଳ ଯୁଦ୍ଧ ଏନ୍ତୁଡ଼ିଶାଳରୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ପରେ ବିଶ୍ୱସ୍ତରରେ ଦୁଇଟି ମହାଶକ୍ତି ମୁଣ୍ଡ ଟେକିଲେ। ସୋଭିଏତ୍‌ ୟୁନିଅନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା। ଦୁଇ ରାଷ୍ଟ୍ର ମନରେ ମନରେ ପ୍ରତିଯୋଗିତାମୂଳକ ଆଭିମୁଖ୍ୟ ଜୋରଦାର ଥିଲା। ପରମାଣୁ ବୁଡ଼ାଜାହାଜ ନିର୍ମାଣ କରିବାର ଅଭିଳାଷ ପ୍ରଥମେ ଆମେରିକା ମନରେ ଜନ୍ମିଲା। ୧୯୫୦ ମସିହାରେ ଦେଖିଥିବା ପରମାଣୁ ବୁଡ଼ାଜାହାଜ ସ୍ୱପ୍ନକୁ ଆମେରିକା ପୂରଣ କଲା ୧୯୫୪ ମସିହାରେ। ବିଶ୍ୱର ପ୍ରଥମ ପରମାଣୁ ଶକ୍ତି ସଂଚାଳିତ ବୁଡ଼ାଜାହାଜ ୟୁଏସ୍‌ଏସ୍‌ ନଟିଲସ୍‌ ଜଳାବତରଣ କଲା। ଏହି ବୁଡ଼ାଜାହାଜ ଗୁଡ଼ିକ ପରମାଣୁ ରିଆକ୍ଟର ଦ୍ୱାରା ସଂଚାଳିତ, ଯାହା ସେମାନଙ୍କୁ ପୃଷ୍ଠକୁ ନ ଦେଖି ଦୀର୍ଘ ସମୟ ପାଇଁ ପାଣି ତଳେ ରହିବାର କ୍ଷମତା ରଖିଛି। ଏବେସୁଦ୍ଧା ମାତ୍ର ଛଅଟି ଦେଶ ନିକଟରେ ପରମାଣୁ ବୁଡ଼ାଜାହାଜ ଅଛି।

ଆମେରିକା ନିକଟରେ ସର୍ବାଧିକ ୬୬ଟି ପରମାଣୁ ବୁଡ଼ାଜାହାଜ ଅଛି। ଆମେରିକାର ବୁଡ଼ାଜାହାଜ ନୌବାହିନୀରେ ଚାରୋଟି ଶ୍ରେଣୀର ପରମାଣୁ ଶକ୍ତିସଂପନ୍ନ ବୁଡ଼ାଜାହାଜ ରହିଛି। ସେଗୁଡ଼ିକ ହେଲା- ଓହିଓ, ଲସ୍‌ ଆଞ୍ଜେଲସ୍‌, ସିୱଲ୍ଫ ଏବଂ ଭର୍ଜିନିଆ। ରୁଷିଆ ନିକଟରେ ୩୧ଟି ପରମାଣୁ ଶକ୍ତିସଂପନ୍ନ ବୁଡ଼ାଜାହାଜ ଅଛି। ରୁଷ ନୌବାହିନୀରେ ଏବେ ଦୁଇଟି ଶ୍ରେଣୀର ୧୦ଟି ପରମାଣୁ ଶକ୍ତିସମ୍ପନ୍ନ, ପରମାଣୁ ସଶସ୍ତ୍ର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଅଛି। ଚୀନ ନିକଟରେ ୧୨ଟି ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ରହିଛି। ତା’ ଭିତରୁ ଛଅଟି ଶାଙ୍ଗ୍‌-ଶ୍ରେଣୀର ପରମାଣୁ ଶକ୍ତିସମ୍ପନ୍ନ ଆକ୍ରମକ ବୁଡ଼ାଜାହାଜ। ଅନ୍ୟଗୁଡ଼ିକ ହାନ୍‌-ଶ୍ରେଣୀ ଟାଇପ୍‌ ୦୯୪ବୁଡ଼ାଜାହାଜ, ଟାଇପ୍‌ ୦୯୫ ବୁଡ଼ାଜାହାଜ ଏବଂ ଟାଇପ୍‌ ୦୯୧ ବୁଡ଼ାଜାହାଜ। ୟୁନାଇଟେଡ୍‌ କିଙ୍ଗଡମ୍‌ ନିକଟରେ ୧୦ଟି ପରମାଣୁ ବୁଡ଼ାଜାହାଜ ଅଛି। ୟୁକେ ପରମାଣୁ ବୁଡ଼ାଜାହାଜରେ ଭାନଗାର୍ଡ-କ୍ଲାସ୍‌ ଏବଂ ଆଷ୍ଟ୍ୟୁଟ୍‌-କ୍ଲାସ୍‌ ଅନ୍ତର୍ଭୁକ୍ତ। ଆଉ ଏକ ଶ୍ରେଣୀର ବୁଡ଼ାଜାହାଜ, ଡ୍ରେଡ୍‌ନଟ୍‌-କ୍ଲାସ୍‌ ନିର୍ମାଣାଧୀନ ଅଛି। ଫ୍ରାନ୍‌ସ ନିକଟରେ ୯ଟି ପରମାଣୁ ଶକ୍ତିସଂପନ୍ନ ବୁଡ଼ାଜାହାଜ ରହିଛି। ସେଗୁଡ଼ିକ ହେଉଛି ରୁବିସ୍‌-କ୍ଲାସ୍‌, ସଫ୍ରେନ୍‌-କ୍ଲାସ୍‌, ଲେ ଟ୍ରାୟୋମ୍ଫାଂଟ୍‌-କ୍ଲାସ୍‌ ଏବଂ ବାରାକୁଡା-କ୍ଲାସ୍‌ ହେଉଛି ଫ୍ରାନ୍ସର କିଛି ପରମାଣୁ ବୁଡ଼ାଜାହାଜ। ରୁବିସ୍‌-କ୍ଲାସ୍‌ ୨୦୩୦ ସୁଦ୍ଧା ବନ୍ଦ ହୋଇଯିବ। ଫ୍ରାନ୍ସ ଅନ୍ତର୍ଜାତୀୟ କ୍ରେତାଙ୍କୁ ସଫ୍ରେନ୍‌-କ୍ଲାସ୍‌ ବୁଡ଼ାଜାହାଜ ବିକ୍ରି କରେ। ଭାରତ ନିକଟରେ ମାତ୍ର ଦୁଇଟି ପରମାଣୁ ଶକ୍ତିସଂପନ୍ନ ବୁଡ଼ାଜାହାଜ ରହିଛି।

୨୦୦୯ରେ ରୁଷିଆ ସହଯୋଗରେ ଆଇଏନ୍‌ଏସ୍‌ ଅରିହନ୍ତ ନିର୍ମାଣ ଆରମ୍ଭ ହୋଇଥିଲା ଯାହା ୨୦୧୬ରେ କାର୍ଯ୍ୟକ୍ଷମ ହୋଇଥିଲା।

ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ, ଏସ୍‌ଏସ୍‌ବିଏନ୍‌-ଶ୍ରେଣୀ ଆଇଏନ୍‌ଏସ୍‌ ଅରିଘାଟ, ସମ୍ପ୍ରତି ବିଶାଖାପାଟଣାରେ କାର୍ଯ୍ୟକ୍ଷମ ହୋଇଥିଲା, ଯାହା ବିଶ୍ୱସ୍ତରରେ ଭାରତର ନୌସେନା ପ୍ରତିରକ୍ଷା ସ୍ଥିତିକୁ ଆହୁରି ମଜଭୁତ କରିଛି। ବିକାଶଶୀଳ ଦେଶ ଭାବେ ପରିଗଣିତ ଭାରତ ନିକଟରେ ଦୁଇଟି ପରମାଣୁ ଶକ୍ତିସଂପନ୍ନ ବୁଡ଼ାଜାହାଜ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।