ବଡ଼ଦିନରୁ ବଢ଼ିବ ଶୀତ

ପଶ୍ଚିମାଝଡ଼ ପ୍ରଭାବ ଯୋଗୁଁ ଗତ କିଛିଦିନ ହେଲା ….

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବ ଯୋଗୁଁ ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲା। ତଥାପି ଶୀତ ପ୍ରକୋପ କମି ନଥିଲା। ସ୍ବାଭାବିକ ଶୀତ ଅନୁଭୂତ ହେଉଥିଲା। ପଶ୍ଚିମାଝଡ଼ର ପ୍ରସ୍ଥାନ ପରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ କରିବ। ଡିସେମ୍ବର ୨୫ରୁ ପୁଣି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବଡ଼ ଦିନରୁ ଶୀତ ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଗତ ୨୪ଘଣ୍ଟା ମଧ୍ୟରେ ଉପକୂଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଉ କିଛି ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ରାଉରକେଲା, ବଲାଙ୍ଗିର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ହୀରାକୁଦ, ଫୁଲବାଣୀ, ଭବାନୀପାଟଣା, କୋରାପୁଟ, ବାରିପଦା, ପାରାଦ୍ବୀପ, କେନ୍ଦୁଝର ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି।

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ କୋରାପୁଟରେ ୫.୫ ଡିଗ୍ରୀ ଥିବାବେଳେ ଘୁ.ଉଦୟଗିରିରେ ୬.୮, ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୭, ସେମିଳିଗୁଡ଼ାରେ ୮, ନବରଙ୍ଗପୁରରେ ୮.୮, ବୌଦ୍ଧରେ ୯.୨, ଚିପିଲିମାରେ ୯.୯, ରାଉରକେଲାରେ ୯.୯, ଅନୁଗୋଳରେ ୧୦, ବଲାଙ୍ଗିରରେ ୧୦.୮, ନୂଆପଡ଼ାରେ ୧୧.୬, ଭୁବନେଶ୍ବରରେ ୧୩.୬ ଏବଂ କଟକରେ ୧୨.୪ ଡିଗ୍ରୀ ରହିଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ।