କଲିକତା ଦଖଲ କଲା ଇଷ୍ଟ୍‌ ଇଣ୍ଡିଆ

ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ପ୍ରତିଷ୍ଠିତ …..

ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ପ୍ରତିଷ୍ଠିତ କରିବା ପାଇଁ ରବର୍ଟ କ୍ଲାଇଭ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ପଲାସୀ ଯୁଦ୍ଧରେ ବଙ୍ଗ ନବାବ ସିରାଜ-ଉଦ୍‌-ଦୌଲାଙ୍କୁ ପରାଜିତ କରିବା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମନରେ ସାରା ଭାରତକୁ ଗୋଲାମ କରିବାର ନିଶା ଚଢ଼ିଗଲା। ସଂକ୍ଷେପରେ କହିଲେ, ପଲାସୀ ଯୁଦ୍ଧ ପରଠାରୁ ଭାରତରେ ଇଂରେଜ ଶାସନର ମୂଳଦୁଆ ପଡ଼ିଥିଲା। ବଙ୍ଗ ବିଜୟ ପରେ ରବର୍ଟ କ୍ଲାଇଭଙ୍କ ପତିଆରା ବଢ଼ିଗଲା। ସିରାଜଙ୍କ ପରାଜୟ ପଛରେ ତାଙ୍କର ପ୍ରଧାନମନ୍ତ୍ରୀ ମୀର ଜାଫରଙ୍କ ଷଡ଼ଯନ୍ତ୍ର ଦାୟୀ। ମୀର ଜାଫରଙ୍କ ସହିତ ଇଂରେଜ ସରକାର ଗୋପନ ବୁଝାମଣା କରିଥିଲେ। ଉକ୍ତ ବୁଝାମଣା ଅନୁସାରେ ସିରାଜଙ୍କ ମୃତ୍ୟୁ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମୀର ଜାଫରଙ୍କୁ ବଙ୍ଗର ନବାବ ରୂପେ ଘୋଷଣା କଲେ। ମୀର ଜାଫରଙ୍କୁ କଣ୍ଢେଇ କରି ଇଷ୍ଟ ଇଣ୍ଡିଆ କମ୍ପାନୀ ମନମୁଖୀ ଶାସନ କଲା ଯାହା ମୀର ଜାଫରଙ୍କୁ ଆଦୌ ଭଲ ଲାଗିଲାନି।

ଇଂରେଜ ଶାସକଙ୍କ ସହିତ ହାତ ମିଳାଇବା ଓ ସିରାଜଙ୍କ ପ୍ରତି ବିଶ୍ୱାସ ଘାତକତା କରିବା ଆଦୌ ଉଚିତ ନଥିଲା ବୋଲି ଅନୁଭବ କରିବା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବହିଗଲାଣି। ମୀର ଜାଫରଙ୍କ ପକ୍ଷେ ଆଉ କିଛି କରିବାର ନଥିଲା।

ପଲାସୀ ଯୁଦ୍ଧ ପରେ ବକ୍‌ସାର ଯୁଦ୍ଧ ହେଲା। ସେହି ଯୁଦ୍ଧଟି ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ମହାବିଜୟ ଓ ଭାରତକୁ ଗୋଲାମ କରିବା ପାଇଁ ଉଦ୍ଦିଷ୍ଟ ଥିଲା।
ସିରାଜ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ଯୁଦ୍ଧ ଘୋଷଣା କରିବାର କାରଣ ଥିଲା କଲିକତା (କୋଲକାତା)। ଇଷ୍ଟ ଇଣ୍ଡିଆ କମ୍ପାନୀର ସେନାବାହିନୀ କୋଲକାତାକୁ ଦଖଲ କରିନେଲେ ଯାହା ସିରାଜଙ୍କୁ ପଲାସୀ ଯୁଦ୍ଧ ପାଇଁ ବାଧ୍ୟ କରିଥିଲା।